ସରପଡା ଗ୍ରାମବାସୀଙ୍କ ଦୁଃଖ ଲୋହରାଖଣ୍ଡି; ୪୦ ଫୁଟ ଉଚ୍ଚର ୩ ଫୁଟିଆ କେନାଲରେ ବାଜି ଲାଗିଛି ଜୀବନ

Report: Dilip Chawda

ଭଞ୍ଜନଗର: ଅଗଷ୍ଟ ୨୦:ଭାରତ ସ୍ୱାଧୀନତାକୁ ଇତିମଧ୍ୟରେ ୭୪ବର୍ଷ ପୁରିଲା । ଏହି ଦୀର୍ଘବର୍ଷ ଗୋଟିଏ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଯଥେଷ୍ଟ । ତଥାପି ଆମ ଦେଶ ତଥା ରାଜ୍ୟରେ ଏବେବି ଅନେକ ଗ୍ରାମ ଅବହେଳିତ ହୋଇ ପଡିରହିଛି । ସର୍ବନିମ୍ନ ମୌଳିକ ସୁଖସୁବିଧା ମିଳୁନି । ଅନେକ ଗାଆଁକୁ ନାହିଁ ସବୁଦିନିଆ ରାସ୍ତା । ଏଭଳି ଏକ ଗାଆଁ ହେଲା ସରପଡା ।
ଭଞ୍ଜନଗର ବ୍ଲକର ସାନକୋଦଣ୍ଡା ପଞ୍ଚାୟତର ସରପଡା ଗ୍ରାମ । ଏହି ଗ୍ରାମବାସୀଙ୍କ ପାଇଁ ନାହିଁ ପକ୍କା ରାସ୍ତା । ମୁଖ୍ୟରାସ୍ତାକୁ ଆସିବାକୁ ହେଲେ ଲୋହରାଖଣ୍ଡି ନଦୀ ଡେଇଁ ଆସିବାକୁ ହୋଇଥାଏ । ବର୍ଷର ଅଧିକାଂଶ ସମୟ ନଦୀରେ ପାଣି ରହୁଥିବାରୁ ନଦୀ ଉପରେ ୪୦ ଫୁଟ ଉଚ୍ଚରେ ଯାଇଥିବା ଜଳ ସେଚନ ବିଭାଗର ୩ ଫୁଟିଆ କେନାଲ ଉପରେ ଏହି ଗ୍ରାମବାସୀ ଜୀବନକୁ ବାଜି ଲଗାଇ ତାରି ଉପରେ ଚଳପ୍ରଚଳ କରିଥାନ୍ତି । ଆଉ ତଳକୁ ଖସି ଇତିମଧ୍ୟରେ କେତେକଙ୍କ ଜୀବନ ମଧ୍ୟ ଗଲାଣି । ତଥାପି ରାସ୍ତା ଅଭାବରୁ ଏହାକୁ ହିଁ ଶ୍ରେଷ୍ଠତମ ଉପାୟ ବୋଲି ଧରିନେଇଛନ୍ତି ସରପଡା ଗ୍ରାମାବସୀ । ଏହି ଗ୍ରାମବାସୀଙ୍କ ପାଇଁ ଲୋହରାଖଣ୍ଡି ନଦୀ ଅଭିଶାପ ପାଲଟିଛି । ଗ୍ରାମକୁ ଚାରିପାଶ୍ୱର୍ରୁ ଘେରି ରହିଛି କିଛି ଜଙ୍ଗଲୀ ନାଳ ଓ ଲୋହରାଖଣ୍ଡି ନଦୀ । ଯେଉଁପଟକୁ ୨ କିମି ଚାଲିଗଲା ପରେହିଁ ପଡେ ମୁଖ୍ୟ ରାସ୍ତା । ତେବେ ଭଞ୍ଜନଗର ପଟକୁ ଆସିବାକୁ ଗ୍ରାମବାସୀ ଅଧିକ ପସନ୍ଦ କରିଥାନ୍ତି । ଆଉ ଏହି କେନାଲ ରାସ୍ତା ତାକୁ ଭଞ୍ଜନଗର ଆସିବାକୁ ପାଖ ହେଉଥିବାରୁ ଏହାରି ଉପରେ ଏମାନେ ଯିବାଆସିବା କରିଥାନ୍ତି । ଗର୍ଭବତୀ ମାଆମାନଙ୍କୁ ଏହି ୪୦ ଫୁଟ ଉଚ୍ଚର ୩ଫୁଟିଆ କଂକ୍ରିଟ୍ କେନାଲରେ ନେବା ସବୁଠାରୁ ଅଧିକ ବିପଦ ହେଉଛି । ଅନେକ ସମୟରେ ରାସ୍ତାରେ ମାଆମାନଙ୍କ ଛୁଆ ଜନ୍ମ ହୋଇଯାଉଛି । ଅନେକ ସମୟରେ ମଲା ଛୁଆ ମଧ୍ୟ ଜନ୍ମ ହେଉଛି । ଏଭଳି ଅକଥନୀୟ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଗାଆଁରେ ପଡି ରହିଛନ୍ତି ସରପଡା ଗ୍ରାମବାସୀ ।
ସରପଡା ଗ୍ରାମରେ ରହୁଛନ୍ତି ପାଖାପାଖି ୭୦ ପରିବାର । ମୋଟ ଜନସଂଖ୍ୟା ୩ଶହ ହେବ । ଗାଆଁରେ ଲୋକଙ୍କ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ରହିଥିବାବେଳେ ପାନୀୟଜଳ ଏମାନଙ୍କ ପାଇଁ ସାତସପନ ପାଲଟିଛି । ଏଣୁ ଅଧା କିମି ଦୂରରେ ରହିଥିବା ଲୋହରାଖଣ୍ଡି ନଦୀର ପାଣିକୁ ଏମାନେ ବର୍ଷସାରା ପାନୀୟ ଜଳଭାବେ ବ୍ୟବହାର କରିଥାନ୍ତି । ଏଣୁ ଅନେକ ସମୟରେ ବହୁ ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଏହି କାରଣରୁ ହେଉଛି । ଗାଆଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି । ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ରହିଛି । ତେବେ ବର୍ଷାହେଲେ ଶିକ୍ଷକମାନେ ଆସିବା କଷ୍ଟକର ହୋଇପଡୁଛି । ଗାଆଁରୁ ୨ କିମି ପାଦଚଲା ରାସ୍ତାରେ ଗଲେ ବିଭିନ୍ନ ଦିଗରୁ ପକ୍କାରାସ୍ତା ରହିଛି । ହେଲେ ଏହି ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ଲୋକଙ୍କ ଜୀବନ ସଂକଟ ଭିତରେ ଗତିକରୁଛି । ସରପଡା ଗ୍ରାମକୁ ଲାଗି ନଦୀ ସେପଟେ ଗୁଡିପଲ୍ଲୀ, ତଲାରିଆ, ଚୁନପଲ୍ଲୀ ଆଦି ଗ୍ରାମ ରହିଛି । ତେବେ ଚୁନପଲ୍ଲୀ ଗ୍ରାମକୁ ସବୁଦିନିଆ ରାସ୍ତା ରହିଛି । ସରପଡାରୁ ଚୁନପଲ୍ଲୀକୁ ରାସ୍ତା ନାହିଁ । ଏଠାରେ ୨ଟି ଜଙ୍ଗଲୀ ନାଳ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ସେହିପରି ମୁଜାଗଡ – ଲଙ୍ଗଳଖୋଳା ଗ୍ରାମ ଯାଏଁ ପକ୍କା ରାସ୍ତା ରହିଥିବାବେଳେ ଲଙ୍ଗଳଖୋଳାରୁ ସରପଡାକୁ ପାଖାପାଖି ୨ କିମି ରାସ୍ତା ନାହିଁ । ଏଠାରେ ମଧ୍ୟ ୨ଟି ଜଙ୍ଗଲୀ ନାଳ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ତେବେ ଭଞ୍ଜନଗର ସହରକୁ ଆସିବା ପାଇଁ ହେଲେ କଂକ୍ରିଟ୍ କେନାଲ ହିଁ ପାଖ ରହୁଥିବାରୁ ଲୋକମାନେ ଏହି କଂକ୍ରିଟ୍ କେନାଲ ଉପରେ ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି । ଏପରିକି ଏହାରି ଉପରେ ମୋଟର ସାଇକେଲ ଆଦି ନେଇଥାନ୍ତି । ଅନେକ ସମୟରେ କେନାଲରୁ ୪୦ ଫୁଟ ତଳକୁ ଖସି ବହୁ ମୋଟର ସାଇକେଲ ଗୁଣ୍ଡ ହୋଇଯାଇଛି । ସେହିପରି କେହି ଏହି ଗ୍ରାମକୁ ସହଯୋଗ କରୁନଥିବାରୁ ମହାଗୁଡା ଯାଏଁ ଆସିବାକୁ ୨ କିମି ରାସ୍ତାକୁ ଗ୍ରାମବାସୀ କୋଠରୁ ୪୫ ହଜାର ଟଙ୍କା ଖର୍ଚ୍ଚ କରି ୪ବର୍ଷ ତଳେ ନିଜସ୍ୱ ଶ୍ରମଦାନ କରି ରାସ୍ତାରେ ମୋରମ ପକାଇ ରାସ୍ତା ମରାମତି କରିଥିବାରୁ ଏବେ ଚଳପ୍ରଚଳ କରୁଛୁ ବୋଲି ଗ୍ରାମର ଭାସ୍କର ମଳିକ(୬୦)ରାମକୃଷ୍ଣ ସାହୁ(୪୦), ରାଧାମୋହନ ରାଉତ(୩୦), ଚୁମୁକି ନାୟକ, ଦୌପଦୀ ନାୟକ ପ୍ରମୁଖ ନିଜ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି । ତେବେ ସାନକୋଦଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଭଞ୍ଜକିଶୋର ପ୍ରଧାନ ନିଜର ଜେସିବି ଏହି ସମୟରେ ମାଗଣାରେ ଯୋଗାଇ ଦେଇଥିବା କହିଛନ୍ତି । ସେହିପରି ସରପଡା ଗ୍ରାମର ଶିବୁ ପାତ୍ର(୨୩), ଟୁଟୁ ରାଉତ(୩୨), ପାର୍ବତୀ ମନ୍ତ୍ରୀ(୪୦)ଙ୍କ ସୁଚନା ପ୍ରକାରେ ୪୦ ଫୁଟ ଉଚ୍ଚର ୩ ଫୁଟିଆ କେନାଲ ଉପରେ ବିପଦପୂର୍ଣ୍ଣ ଯାତ୍ରା କଲାବେଳେ ସତେଯେମିତି ଜୀବନ ଆମର ବାଜିରେ ଲାଗିଛି ସେହିଭଳି ଅନୁଭବ ହୁଏ । ଆଉ କେନାଲ ପାରି ହେଲା ପରେ ପୁଣିଥରେ ଦେହରେ ପ୍ରାଣ ସଂଚାର ହୋଇଥାଏ । ଗର୍ଭବତୀ ମାଆମାନଙ୍କୁ ମେଡିକାଲ ନେବାବେଳେ ସବୁଠାରୁ ସାଂଘାତିକ ସ୍ଥିତି ଏହି କେନାଲ ଉପରେ ଘଟିଥାଏ । ଦୁଇପଟୁ ଯମ ଯନ୍ତ୍ରଣା ଭିତରେ ଯଦି ସଂପୃକ୍ତ ଗର୍ଭବତୀ ମାଆଟିର ଭାଗ୍ୟ ଟାଣଥାଏ ତେବେ ସେ କେନାଲ ପାର ହୋଇ ଆରପଟକୁ ଗଲେ ଯାଇ ଭଞ୍ଜନଗର ମେଡିକାଲରେ ପହଞ୍ଚିବାର ପଥ ସୁଗମ ହୋଇଥାଏ । ନହେଲେ ମୃତ୍ୟୁ ସୁନିଶ୍ଚିତ ହୋଇଥାଏ । ଏଠାରେ କେତେବେଳେ କାହାର ଜୀବନ ଯିବ କହିିହେଉନାହିଁ । ତଥାପି ଜୀବନକୁ ଏହି କେନାଲ ଉପରେ ବାଜି ଲଗାଇ ସରପଡା ଗ୍ରାମବାସୀ ଏହା ଉପରେ ଚଳପ୍ରଚଳ କରୁଛନ୍ତି । ତେବେ ସରପଡା ଗ୍ରାମବାସୀଙ୍କୁ ସବୁଦିନିଆ ରାସ୍ତା ସହ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ସେ ତାଙ୍କର ଉଦ୍ୟମ ଜାରୀ ରଖିଥିବା କହିଛନ୍ତି ସାନକୋଦଣ୍ଡା ସରପଞ୍ଚ ସୁକାନ୍ତି ପ୍ରଧାନ ।

Comments are closed.