ସଟଡାଉନ ହେବନି ଭୁବନେଶ୍ୱର: ଦୈନିକ ୨୫୦୦ ଆଣ୍ଟିଜେନ ଟେଷ୍ଟ ସପ୍ତାହ ଭିତରେ ଆରମ୍ଭ

ଭୁବନେଶ୍ୱର: ଜୁଲାଇ ୭:ରାଜଧାନୀରେ ସଟଡାଉନ ହେବନି । ସବୁ ଗୁଜବ ପ୍ରଚାରରେ ପଡ଼ିଛି ପୂର୍ଣ୍ଣଛେଦ । ବିଭିନ୍ନ ସୋସିଆଲ ମିଡିଆରେ ଏହି ଖବର ଘୁରିବୁଲିଥିଲା । ଆଖି ପିଛୁଳାକେ ପୂରା ସହର ସାରା ପ୍ରଚାରିତ ହୋଇଯାଇଥିବା ବେଳେ ସଟଡାଉନକୁ ବ୍ରେକ୍‌ ଲଗାଇଛନ୍ତି ବିଏମ୍‌ସି କମିଶନର ।
ରାଜଧାନୀକୁ ଆସିବ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ । ଏହି କିଟ୍‌ ମାଧ୍ୟମରେ ନାଜାଲ ସ୍ୱାବ୍‌କୁ ପରୀକ୍ଷା କରାଯିବ । ଯାହାର ରିପୋର୍ଟ ଅଧଘଣ୍ଟା କିମ୍ବା ତା’ଠାରୁ କମ୍‌ ସମୟ ମଧ୍ୟରେ ଆସିବ । ରୋଗୀ କରୋନା ସଂକ୍ରମିତ ହୋଇଥିବା ସମ୍ପର୍କରେ ପ୍ରାଥମିକ ରିପୋର୍ଟ ମିଳିପାରିବ । ଏଥିରେ ୯୮ ପ୍ରତିଶିତ ଶୁଦ୍ଧତା ରହିଛି । ଏହାଦ୍ୱାରା କୋଭିଡ୍‌ ରୋଗୀ ଚିହ୍ନଟ କ୍ଷେତ୍ରରେ ଏକ ବଡ ସଫଳତା ମିଳିପାରିବ । ଆସନ୍ତା ସପ୍ତାହରୁ ଭୁବନେଶ୍ୱରରେ ଦୈନିକ ୨୫୦୦ ଆଣ୍ଟିଜେନ୍‌ ପରୀକ୍ଷା ହେବ ।
ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ରାଜଧାନୀରେ ସକଂମ୍ରଣ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ବିଭିନ୍ନ ବସ୍ତି ଏବଂ ସହରରେ ସର୍ଭେ ଚାଲିଛି । ଏଥିପାଇଁ ୪୦୦ରୁ ଊଦ୍ଧ୍ୱର୍ ଟିମ୍‌ ଗଠନ ହୋଇଛି । ପ୍ରତି କମିଟିରେ ଅଙ୍ଗନବାଡି ଓ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ମହିଳା ଆରୋଗ୍ୟ ସମିତି ସଭ୍ୟ ଅଛନ୍ତି । ପ୍ରତି ଘରକୁ ଘର ବୁଲି ସର୍ଭେ ହେଉଛି । ଯେଉଁ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଉଛି, ତାଙ୍କର ସ୍ୱାବ୍‌ ଟେଷ୍ଟ କରାଯାଉଛି । ରାଜଧାନୀରେ ଜନସଂଖ୍ୟା ଅନୁସାରେ କରୋନା ଟେଷ୍ଟ ହେଉନି । ଫଳରେ ସଂକ୍ରମଣ ବଢ଼ୁଛି । ଏ ସପ୍ତାହରେ ଦୈନିକ ୨୫୦୦ ଆଣ୍ଟିଜେନ ଟେଷ୍ଟ କରାଯିବ ।

Comments are closed.