ସଙ୍କଟରେ ରାଜସ୍ଥାନ ସରକାର; ମୁଖ୍ୟମନ୍ତ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ

ଜୟପୁର : ଜୁଲାଇ ୧୩:ରାଜସ୍ଥାନରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିଜ ଲୋକଙ୍କ ଘର ଉପରେ ଚଢାଉ କରିଛି ଆୟକର ବିଭାଗ । ବିଭାଗର ୨୦୦ରୁ ଅଧିକ ଅଧିକାରୀ ଏବଂ କର୍ମଚାରୀ ଦିଲ୍ଲୀ ଏବଂ ରାଜସ୍ଥାନର ଅନେକ ସ୍ଥାନରେ ଏକା ସାଙ୍ଗରେ ଚଢାଉ କରିଛନ୍ତି । ଅଶୋକ ଗେହଲୋଟଙ୍କ ଅତି ନିକଟତମ ଲୋକ ଧର୍ମେନ୍ଦ୍ର ରାଠୋଡ ଏବଂ ରାଜୀବ ଆରୋରାଙ୍କ ଉପରେ ରେଡ କରିଛି ଆୟକର ବିଭାଗ । ବିଶିଷ୍ଠ ଅଳଙ୍କାର ଫାର୍ମ ମାଲିକ ତଥା ସିଏମ ଅଶୋକ ଗେହଲୋଟଙ୍କ ଅନୁଗତ ରାଜୀବ ଆରୋରାଙ୍କ ବିଭିନ୍ନ ଘର ଉପରେ ଏକାସାଙ୍ଗରେ ରେଡ କରାଯାଇଛି । ସେମାନଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ ଚାଲିଛି । ଏହି ଚଢାଉର ସୂଚନା ସ୍ଥାନୀୟ ପୋଲିସକୁ ଦିଆଯାଇ ନାହିଁ । ଆୟକର ବିଭାଗର ଟିମ୍‌ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସକୁ ସାଥିରେ ନେଇ ଏହି ଚଢାଉ ଜାରି ରଖିଥିବା ଜଣାପଡିଛି । ରାଜୀବ ଆରୋରା ବ୍ୟତୀତ ଆୟକର ବିଭାଗ, ଧର୍ମେନ୍ଦ୍ର ରାଠୋଡଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ମଧ୍ୟ ଚଢାଉ କରିଛି । ଦେଶ ବାହାରେ କରାଯାଇଥିବା ବ୍ୟବସାୟିକ କାରବାର ସମ୍ପର୍କରେ ରାଜୀବ ଆରୋରା ଏବଂ ଧର୍ମେନ୍ଦ୍ର ରାଠୋରଙ୍କୁ ପଚରାଉଚରା କରିବା ପାଇଁ ଏହି ରେଡ କରାଯାଇଥିବା ଜଣାପଡିଛି ।

Comments are closed.