ଶ୍ରାବଣର ବିଶେଷ ପର୍ବ – ଝୁଲଣ ଉତ୍ସବ

ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଅନୁଷ୍ଠିତ ହୁଏ । ଦ୍ୱୀପହର ଧୂପ ବଢିବା ପରେ ଚଳନ୍ତି ବିଗ୍ରହ ଶ୍ରୀମଦନମୋହନ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରନ୍ତି । ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ମୁକ୍ତିମଣ୍ଡପରେ ସଜ୍ଜିତ ସ୍ୱତନ୍ତ୍ର ଝୁଲଣ କୁଞ୍ଜକୁ ବିଜେ କରନ୍ତି । ଏହି କୁଞ୍ଜରେ ଝୁଲିବା ସହିତ ଶୀତଳ ଭୋଗ ସାରି ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନକୁ ବାହୁଡା ବିଜେ କରନ୍ତି । ଶ୍ରୀମନ୍ଦିରର ଏହି ବିଶେଷ ନୀତିକୁ ଝୁଲଣ ଉତ୍ସବ କୁହାଯାଇଥାଏ । ଓଡ଼ିଶା ପରି ମଥୁରା ଓ ବୃନ୍ଦାବନରେ ମଧ୍ୟ ଝୁଲଣ ଯାତ ମହାସମାରୋହରେ ପାଳିତ ହୁଏ । ବାସ୍ତବରେ ଶ୍ରବଣାନକ୍ଷତ୍ରଯୁକ୍ତ ଶ୍ରାବଣ ମାସର ଅଧିପତି ସ୍ୱୟଂ ‘ଶ୍ରୀଧର’ ହେଲେ ମଧ୍ୟ, ଏହି ମାସଟି ସମ୍ପୂର୍ଣ୍ଣ ରୂପେ ଶିବଙ୍କ ନିମିତ୍ତ ସମର୍ପିତ । ଶିବରୂପୀ ଶ୍ରୀବଳଭଦ୍ରଙ୍କର ଏହା ଜନ୍ମମାସ । କି;ୁ ଏହି ମାସରେ ଶ୍ରୀମନ୍ଦିରରେ ଏବଂ ସମଗ୍ର ଓଡ଼ିଶାର ରାଧାକୃଷ୍ଣ ମନ୍ଦିର ଓ ବୈଷ୍ଣବ ମଠମାନଙ୍କରେ ମହା ସମାରୋହରେ ପାଳିତ ହୁଏ ଝୁଲଣ ଯାତ୍ରା । ଶ୍ରାବଣର ମେଘମାଳା ଯୁକ୍ତ ଆକାଶ ମଧ୍ୟରେ ସତ୍ତେ୍ୱ କୃଷ୍ଣ ଭରା ଜଳଦ ମାଳାର ଅପରୂପ ଶୋଭା ସହିତ ଚାରିଆଡ଼େ ଝିପି ଝିପି ବର୍ଷାରେ ଶ୍ରୀଧାମ ବୃନ୍ଦାବନ ଲତାକୁଞ୍ଜରେ ଲାଗିଥାଏ ଚିତ୍ତ ହରଣକାରୀ ମହୋତ୍ସବ ମହାରାସ । ଗହଳ ଲତା କୁଞ୍ଜରେ ମିଳିତ ହୋଇଥାନ୍ତି ରସରାଜ ଶ୍ରୀକୃଷ୍ଣ ଆଉ ରାସେଶ୍ୱରୀ ଶ୍ରୀରାଧା । ଶ୍ରାବଣ ବାରି ଧାରାପାତ ମଧ୍ୟରେ ଅନୁଷ୍ଠିତ ରାଧାକୃଷ୍ଣଙ୍କ ବର୍ଷାକାଳୀନ ଏହି ରାସ ଉତ୍ସବ ମନରେ ଦେଇଥାଏ ଅସରନ୍ତି ଆନନ୍ଦ ଓ ଉତ୍ସାହ । ଭଗବାନ ଶ୍ରୀକୃଷ୍ଣ ଗୋପପୁରରେ ଥିବାବେଳେ ଗୋପୀମାନଙ୍କୁ ଆନନ୍ଦ ଦେବାପାଇଁ ବିଭିନ୍ନ ନୃତ୍ୟ ଗୀତର ଆୟୋଜନ କରୁଥିଲେ । ଏହାକୁ କବିମାନେ ‘ରାସ’ ଆଖ୍ୟା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ‘ଭାଗବତ’ ଆଦି ଗ୍ରନ୍ଥରେ ‘ଶରତରାସ’ ଓ ‘ବସନ୍ତରାସ’ ଏହିପରି ଦୁଇଟି ରାସର ବର୍ଣ୍ଣନା ଅଛି । କି;ୁ କବି ବନମାଳୀ ସାମନ୍ତରାୟ ରାୟଙ୍କ ଲିଖିତ ରାସ ପୁସ୍ତକରେ ବର୍ଷାକାଳୀନ ‘ପ୍ରାବୃଟ ରାସ’ର ବର୍ଣ୍ଣନା ରହିଛି । ଏହି ବର୍ଣ୍ଣନା ଅନୁଯାୟୀ, ବର୍ଷାକାଳରେ ଶ୍ରୀକୃଷ୍ଣ ମଲ୍ଲରାଜା ପତ୍ନୀ ଚନ୍ଦ୍ରାବଳୀ ଓ ଗୋପୀମାନଙ୍କ ସହିତ ଗୋପନରେ ସାତଦିନ ବ୍ୟାପୀ ରାସକ୍ରୀଡ଼ା କରିଥିଲେ । ତାହାକୁ ‘ଚନ୍ଦ୍ରାବଳୀ ରାସ’, ‘ପ୍ରାବୃଟ ରାସ’ ବା ‘ଗୁପ୍ତ ରାସ’ କୁହାଯାଏ । ଏହା କାଳକ୍ରମେ ଲୋକପ୍ରିୟ ହୋଇ ଝୁଲଣଯାତ୍ରାରେ ପରିଣତ ହୋଇଗଲା ।
ଭକ୍ତମାନେ ଝୁଲଣ ମଣ୍ଡପରେ ରାଧାକୃଷ୍ଣଙ୍କର ଦିବ୍ୟ ରାସଲୀଳାକୁ ଦର୍ଶନ କରି ପରମ ସନ୍ତୋଷରେ ପ୍ରସାଦ ସେବନ କରିଥାନ୍ତି । ରସରାଜ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାପର ଲୀଳାକୁ ଆଧାର କରି ଅନେକ ରାସୋତ୍ସବ ପାଳନ ହୋଇଥାଏ । କାର୍ତ୍ତିକ ମାସରେ ଶରତ ରାସ, ଫାଲଗୁନ ଚୈତ୍ରରେ ବସନ୍ତ ରାସ, ଗ୍ରୀଷ୍ମରେ ଚନ୍ଦନରାସ ଓ ଶ୍ରାବଣରେ ବର୍ଷାକାଳୀନ ପ୍ରାବୂଟ ରାସ ବା ଝୁଲଣ ଯାତ୍ରା । ଦ୍ୱାପର ଯୁଗରେ ଶ୍ରୀରାଧା ଏବଂ ଶ୍ରୀକୃଷ୍ଣଙ୍କ ମିଳନପାଇଁ ଏହି ରାସକ୍ରୀଡ଼ା ସମୂହର ଆୟୋଜନ ହୋଇଥିଲା । ପ୍ରେମ ଆଲିଙ୍ଗନବଦ୍ଧ ହୋଇ ଶ୍ରୀରାଧା, ଶ୍ରୀକୃଷ୍ଣ ଲତାକୁଞ୍ଜ ଦୋଳିରେ ଝୁଲୁଥିବା ବେଳେ ଏହି ଦିବ୍ୟ ଦୃଶ୍ୟ ଦର୍ଶନ କରିଥିଲେ ଗୋପାଙ୍ଗନାମାନେ । ପ୍ରଭୁ ଶ୍ରୀକୃଷ୍ଣଙ୍କର ଏହା ଏକ ପ୍ରମୁଖ ଦିବ୍ୟଲୀଳା ହୋଇଥିବାରୁ ସାଧୁସନ୍ଥ ଓ ବୈଷ୍ଣବମାନେ ଏହି ଯାତ୍ରାକୁ ନିଷ୍ଠା ସହକାରେ ପାଳନ କରିଥାନ୍ତି ।
ଶ୍ରୀଧାମ ବୃନ୍ଦାବନରେ ଝୁଲଣ ଯାତ୍ରା ପନ୍ଦରଦିନ ବ୍ୟାପୀ ପାଳନ କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ଏହାକୁ ପଞ୍ଚ ଦିବସ ବ୍ୟାପୀ ପାଳନ କରାଯାଏ । ଶ୍ରୀକ୍ଷେତ୍ରର ସମସ୍ତ ମଠରେ ଝୁଲଣ କୁଞ୍ଜ ପ୍ରସ୍ତୁତହୋଇ ରାଧାକୃଷ୍ଣଙ୍କୁ କୁଞ୍ଜରେ ବିଜେ କରାଯାଏ । ପ୍ରଥମେ ରାୟ ରାମାନନ୍ଦ ଶ୍ରୀମନ୍ଦିର ମଧ୍ୟରେ ଏହି ଉତ୍ସବ କରାଇଥିଲେ । ପରବର୍ତ୍ତୀ କାଳରେ ଗଜପତି ଦିବ୍ୟସିଂହ ଦେବ ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଶ୍ରୀମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ଝୁଲଣ କୁଞ୍ଜ ନିର୍ମାଣ କରି ଝୁଲଣ ଯାତ କରାଇଲେ । ବୈଷ୍ଣବ ସନ୍ନ୍ୟାସୀ ରସିକାନନ୍ଦ ଦେବ ଗୋସ୍ୱ୍ୱାମୀ ସମଗ୍ର ଉତ୍କଳ ପରିଭ୍ରମଣ କରି ରାଧାକୃଷ୍ଣ ଉପାସନାର ପ୍ରଚାର କରିବା ସହିତ ଏହି ରାସ ଉତ୍ସବକୁ ଲୋକପ୍ରିୟ କରାଇଥିଲେ । ଫଳରେ ମଠ ଓ ମନ୍ଦିର ମାନ ଝୁଲଣ ସାଜସଜ୍ଜାରେ ଝଲସିଲା । ମଠମାନଙ୍କରେ ରାଧାକୃଷ୍ନ ଝୁଲଣ କୁଞ୍ଜକୁ ବିଜେ କରୁଥିଲାବେଳେ ଅନ୍ୟ କେତେକ ମଠରେ ଶ୍ରୀରଘୁନାଥଜିଉ ଓ ମାଆ ଜାନକୀ ଝୁଲଣ କୁଞ୍ଜରେ ବିଜେ କରିଥାନ୍ତି । ଶ୍ରୀମନ୍ଦିରର ଦ୍ୱାଦଶଯାତ୍ରା ମଧ୍ୟରେ ପ୍ରାବୃଟ ରାସ ପ୍ରତିଷ୍ଠା ନଥିଲେ ମଧ୍ୟ, ଏହି ପର୍ବ ଶ୍ର୍ରୀମନ୍ଦିର ସମେତ ସମଗ୍ର ଓଡ଼ିଶାରେ ବିଶେଷ ମହ‰ ରଖେ ।
ଅମୂଲ୍ୟ କୁମାର ପଣ୍ଡା, ଅରଙ୍ଗାବାଦ, ବରୀ, ଯାଜପୁର

Comments are closed.