ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ରେ ମହିଳାଙ୍କ ପ୍ରସବ

Edited by Papu Mohanty

ଭୁବନେଶ୍ୱର: ମେ ୨୪:ବଲାଙ୍ଗିର ଜିଲ୍ଲା ଟିିଟିଲାଗଡ଼ ଷ୍ଟେସନରେ ରବିବାର ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ର ଜନୈକା ପ୍ରବାସୀ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି । ଏଥିପାଇଁ ସ୍ପେଶାଲ ଟ୍ରେନ୍‌ ଟି ପ୍ରାୟ ୧୫ ଘଣ୍ଟା ଅଟକି ରହିଥିଲା । ଏଥିସହ ଆଉ ଏକ ଶ୍ରମିକ ଟ୍ରେନରେ ଯାଉଥିବା ବିହାର ରାଜ୍ୟର ଜଣେ ମହିଳା ମଧ୍ୟ ଆଜି ଝାରସୁଗୁଡ଼ାରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।
ତେଲେଙ୍ଗାନାର କାଜିପେଟରୁ ୦୭୦୮୭ ଶ୍ରମିକ ସ୍ପେଶାଲ ଟ୍ରେନରେ ବଲାଙ୍ଗିର ଆସୁଥିବା ବେଳେ ହେମାକାନ୍ତି ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଏହା ଜାଣିବା ପରେ ଟ୍ରେନ୍‌ ଉପସ୍ଥିତ କର୍ମଚାରୀମାନେ ବଲାଙ୍ଗିର ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଷ୍ଟେସନ କର୍ତ୍ତୃପକ୍ଷ ବଲାଙ୍ଗିର ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରସ୍ତୁତ ହୋଇ ରହିଥିଲେ । ଏହି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସବ ପାଇଁ ଟ୍ରେନ ଟିିଟିଲାଗଡ଼ ରେଳଷ୍ଟେସନରେ ଅଟକାଇ ଦିଆଯାଇଥିଲା । ଏହାପରେ ଟିିଟିଲାଗଡ଼ ରେଳ ବିଭାଗର ମେଡିକାଲ ଅଧିକାରୀଙ୍କ ଉପସ୍ଥିତିରେ କାନ୍ତି ଏକ କନ୍ୟା ସନ୍ତାନକୁ ସୁରକ୍ଷିତ ଭାବେ ଜନ୍ମ ଦେଇଥିଲେ । ଏହାପରେ ଘଟଣାସ୍ଥଳରୁ ଉଭୟ ମା’ ଓ ନବଜାତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜନନୀ ଆମ୍ବୁଲାନ୍ସ ଯୋଗେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମା’ ଓ ଶିଶୁର ଚିକିତ୍ସା କରାଯିବା ପରେ ଦୁହେଁ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ତେବେ ୪୮ଘଣ୍ଟା ମଧ୍ୟରେ ଓଡ଼ିଶାରେ ଟ୍ରେନ୍‌ରେ ଶିଶୁ ପ୍ରସବ ହେବା ଏହା ଦ୍ୱିତୀୟ ଘଟଣା । ଏହାପୂର୍ବରୁ ବଲାଙ୍ଗିରକୁ ଆସିଥିବା ବୋଲାରମ ଶ୍ରମିକ ସ୍ପେସାଲ ଟ୍ରେନରେ ଜଣେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଟ୍ରେନ୍‌ ବଲାଙ୍ଗିର ଷ୍ଟେସନ ପହଞ୍ଚିବା ପରେ ମା’ ଓ ନବଜାତ ଶିଶୁକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି ।
ସେହିପରି ଆଉ ଏକ ଶ୍ରମିକ ଟ୍ରେନରେ ଯାଉଥିବା ବିହାର ରାଜ୍ୟର ଜଣେ ମହିଳା ଆଜି ଝାରସୁଗୁଡ଼ାରେ ଶିଶୁକନ୍ୟା ଜନ୍ମ କରିଛନ୍ତି । ତେଲେଙ୍ଗାନାର ହାଇଦ୍ରାବାଦ ଠାରୁ ବିହାରର ଦାନାପୁର ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ (୦୭୦୮୫) ରେ ମହିଳା ଜଣଙ୍କର ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହାପରେ ମହିଳାଙ୍କୁ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା । ପରେ ପିସିଆର ଭ୍ୟାନରେ ପୁଲିସ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ମହିଳା ଜଣକ ପିସିଆର ଭ୍ୟାନରେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ବିହାର ରାଜ୍ୟର କାଇମୁରଭାବୁଆନ ଜିଲ୍ଲାର ଦୁର୍ଗାବତୀ ଥାନା ଅନ୍ତର୍ଗତ କ୍ରିଷ୍ନାପୁର ଗ୍ରାମର ବାଳକୃଷ୍ଣ ପ୍ରସାଦଙ୍କ ସ୍ତ୍ରୀ ପାୟଲ କୁମାରୀ ଶିଶୁକନ୍ୟା ଜନ୍ମ କରିଛନ୍ତି । ଉଭୟ ମା’ ଓ ଶିଶୁଙ୍କୁ ଝାରସୁଗଡ଼ର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହିଳା ଜଣକ ସନ୍ତାନ ଜନ୍ମ କରିବାରେ ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଡିଜିପି ଅଭୟ ଟ୍ୱିଟ ଜରିଆରେ ପ୍ରଶଂସା କରିଛନ୍ତି ।

Comments are closed.