ଶେଷ ହେଲା ୩ରଥର ୪ନାହାକା କାର୍ଯ୍ୟ

0

Reported by Nrushingha Charan Mohanty

ପୁରୀ,୨୩ା୫(ସବ୍ୟୁ):ଶନିବାର ରଥଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରତିଦିନ ପରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଆଜି ସୁଦ୍ଧା ୩ରଥର ଚାରି ନାହାକା କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ୧୧ଟି ଚକର କାର୍ଯ୍ୟ ଶେଷ ହୋଇ ଅନ୍ୟ ୨ଟି ଚକ ମଧ୍ୟରୁ ଗୋଟିକରେ ପହି ବିନ୍ଧା କାର୍ଯ୍ୟ ଚାଲିଛି । ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।ତାଳଧ୍ୱଜ ରଥ ଓ ଦେବଦଳନ ରଥର ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୭ଟି ଅଖ କାମ ଶେଷ ହୋଇଛି । ଶେଷ ଅଖଟିର ମାଠେଣୀ କାର୍ଯ୍ୟ ଆରମ୍ଭ ହେବ । ପ୍ରତି ରଥର ୨ଟି ଲେଖାଏଁ ଗରଗରାର କାର୍ଯ୍ୟ ପହଞ୍ଚିଛି ଶେଷ ପର୍ଯ୍ୟାୟରେ । ୩ରଥର ୧୦ଟି ଲେଖାଏଁ ଗୁଜ କାମ ଶେଷ ହୋଇ ଅବଶିଷ୍ଟ ଗୁଜଗୁଡିକରେ ଖୋଦେଇ ଓ ଅଳଙ୍କାର ୍‌କାମ ଚାଲିଛି । ଗୁଜମାନଙ୍କରେ ଖୋଦନ କରାଯାଉଛି ସିଂହ ବିରାଳ ଚିତ୍ର । ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଗୋଟିଏ ଚକରେ ପଇ ବିନ୍ଧା କାର୍ଯ୍ୟ ଚାଲିଛି । ନନ୍ଦିଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇସାରିଳାଣି । ୨ଟି ତୁମ୍ବରେ ଅର ସଂଯୋଗ କରାଯାଉଥିବା ବେଳେ ଅନ୍ୟ ୨ଟି ଚକରେ ପଇ ସଂଯୋଗ ଶେଷ ହୋଇ ବିଲେଇ ବାଡିଆ କାର୍ଯ୍ୟ ଚାଲିଛି । କରତି ସେବକମାନେ ଦୋଳବେଦୀ ଠାରେ ନନ୍ଦିଘୋଷ ରଥର ଗୟଳ ଚିରଟ କାମ ପୂର୍ବରୁ ବାରିସି କାମ ଚାଲିଛି । ଏହା ପରେ ସୁତା ମାପ କରାଯାଇ ଚିରଟ କାର୍ଯ୍ୟ ହେବ । ଏଥିସହିତ ରଥ ପ୍ରତିଷ୍ଠା ସାମଗ୍ରୀ ମଧ୍ୟ ତିଆରି ଚାଲିଛି । ଦୋଳବେଦୀ ପରିସର ଅସ୍ଥାୟୀ ଶାଳରେ ଓଝା ସେବକମାନେ ୩ରଥ ପାଇଁ ୨୦ମି.ମି ମୋଟେଇର ଅଖ କଣ୍ଟା ତିଆରି କରୁଛନ୍ତି । ଏହି କଣ୍ଟାକୁ ଆଗ ପାତେଳି ଓ ଚଉରସ କଣ୍ଟା କୁହାଯାଏ । ଆଗ ପାତେଳି କଣ୍ଟା ତୁମ୍ବର ବାହ୍ୟ ଅଂଶରେ ଅଖଦଣ୍ଡା ଓ କୁଡୁକାକୁ ଯୋଡିଥାଏ । ସେହିଭଳି ଚଉରସ କଣ୍ଟା ତୁମ୍ବର ଭିତର ଅଂଶ ଅଖଦଣ୍ଡାରେ ବାଡିଆଯାଏ । ଗରଗରା କଣ୍ଟା ମଧ୍ୟ ଶାଳରେ ତିଆରି କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଗରଗରା ଉପରେ ଚାରିନାହାକା ଠିଆ ହୁଏ ଏବଂ ଏହା ଦଣ୍ଡା, ଅଖ ଓ ଗରଗରାକୁ ବାନ୍ଧି ରଖେ ।

Leave A Reply

Your email address will not be published.