ରାଜ୍ୟରେ ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକଙ୍କୁ ମଳିବ ପଦୋନ୍ନତି

ଭୁବନେଶ୍ୱର: ଜୁଲାଇ ୩୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କୁ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡ୍‌କୁ ହ୍ରାସ କରାଯାଇଛି । ଏହା ଦ୍ୱାରା ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ । ଏହା ସହ ଉଚ୍ଚ ପ୍ରାଥମିକ ସ୍ତରରେ ଥିବା ବିଭିନ୍ନ ବିଷୟ ପାଇଁ ଶିକ୍ଷକ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡ଼ିକ ପୂରଣ ହୋଇପାରିବ ।
ସରକାରଙ୍କ ଏହି ପ୍ରସ୍ତାବ ଫଳରେ ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି)ସ୍ତରକୁ ପଦୋନ୍ନତି ପାଇବେ । ସେହିପରି ୫(ବି) ସ୍ତରର ଶିକ୍ଷକ ଚତୁର୍ଥ ସ୍ତରକୁ ପଦୋନ୍ନତି ପାଇବେ ଏବଂ ଚତୁର୍ଥ ସ୍ତରର ୩,୭୮୫ ଜଣ ପ୍ରଧାନ ଶିକ୍ଷକ ସେପେଫମ୍ବର ମାସ ସୁଦ୍ଧା ତୃତୀୟ ସ୍ତରକୁ ପଦୋନ୍ନତି ପାଇବେ ।
୫(ବି)ସ୍ତରରେ ଥିବା ସହକାରୀ ଶିକ୍ଷକଙ୍କ ପାଇଁ ରେସିଡେନ୍ସି ପିରିଅଡ ଏକ ବର୍ଷରୁ ୬ ମାସକୁ ହ୍ରାସ କରାଯାଇଥିବା ବେଳେ ଲେବଲ-୪ରୁ ଲେବଲ୍‌-୩କୁ ପଦୋନ୍ନତି ପାଇଁ ରେସିଡେନ୍ସି ପିରିଅଡକୁ ସମୟକୁ ୨ରୁ ଏକ ବର୍ଷ କରାଯାଇଛି ।
ସୂଚନା ଥାଉଯେ,୨୦୧୯ରେ ପ୍ରାଥମିକ ଶିକ୍ଷକଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେବଲ-୪ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ପଦବୀ କରାଯାଇଥିଲା । ତୃତୀୟ ସ୍ତରରେ ଥିବା ୯,୩୦୫ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ କରାଯାଇଥିଲା ।

Comments are closed.