ରାଜ୍ୟପାଳଙ୍କୁ ସାମ୍ବାଦିକଙ୍କ ସ୍ମାରକପତ୍ର: ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ରାଜ୍ୟପାଳ

ଭୁବନେଶ୍ୱର : ଜୁଲାଇ ୭:ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟରତ ରାଜ୍ୟସ୍ତରୀୟ ଅଧିସ୍ୱୀକୃତପ୍ରାପ୍ତ ସାମ୍ବାଦିକଙ୍କୁ ସମ୍ବାଦ ସଂଗ୍ରହ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରିଛନ୍ତି। କୌଣସି ବିଧିବଦ୍ଧ ଆଦେଶ ନଥାଇ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଯିବାରେ ବାଧା ଦିଆଯାଉଛି। ପ୍ରେସ ସ୍ୱାଧୀନତାର ଏହି ଉଲ୍ଲଂଘନ ବିରୋଧରେ ଗତ ଜୁନ ୧୭ରେ ଭୁବନେଶ୍ୱରର ସାମ୍ବାଦିକଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇ ସେମାନଙ୍କ କର୍ତ୍ତବ୍ୟ ସଂପାଦନ ପାଇଁ ପୂର୍ବବତ ବ୍ୟବସ୍ଥା ଚାଲୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯିବା ସହିତ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଇତି ମଧ୍ୟରେ ଦୁଇ ସପ୍ତାହ ବିତିଯାଇଥିଲେ ବି ତାହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଯୋଗୁ ଜୁଲାଇ ୬ ତାରିଖ ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟପାଳ ସାମ୍ବାଦିକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରକାଶ କରିଥିଲେ ।
ଭୁବନେଶ୍ୱରରେ ଅବସ୍ଥାପିତ ରାଜ୍ୟସ୍ତରୀୟ ସାମ୍ବାଦିକମାନେ କୋଭିଡ୍‌-୧୯ ନିୟମାବଳୀ ପ୍ରତି ସମ୍ମାନ ଜଣାଇ ସାମ୍ବାଦିକମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଗତ ଶତାବ୍ଦୀର ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ପ୍ରେସ ସ୍ୱାଧୀନତା ଉପରେ ଏପରି ହସ୍ତକ୍ଷେପ କେବେ ହୋଇନଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏ ସମ୍ପର୍କରେ ତାଙ୍କ ମତ ରଖି କହିଛନ୍ତି ଯେ, ସେ ଏଥିନେଇ ରାଜ୍ୟସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ। ଏହା ସହିତ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖି ଜଣାଇବେ। ସମଗ୍ର ବିଶ୍ୱ ଏକ ମହାମାରୀ ବିଭିଷିକା ଦେଇ ଗତି କରୁଥିବାରୁ ଓ ଜୁଲାଇ ମାସରେ ସ୍ଥିତି ଗୁରୁତର ରହିବାର ସମ୍ଭାବନା ଥିବାରୁ ସାମ୍ବାଦିକମାନେ ନିଜର ସୁରକ୍ଷା ଦୃଷ୍ଟିରୁ କିଛିଦିନ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ରାଜ୍ୟପାଳ ପ୍ରଫେସରଲାଲ ପରାମର୍ଶ ଦେଇଥିଲେ।
ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଜ୍ୟ ଶାଖା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସନତ ମିଶ୍ର, ଦୁଲାଲ ମିଶ୍ର, ଅଜିତ ମହାନ୍ତି, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ବିବେକାନନ୍ଦ ଜେନା, ବୈଷ୍ଣବ ଚରଣ ଜେନା, ରମେଶ ଚନ୍ଦ୍ର ମହାନ୍ତି, ଓଡ଼ିଶା ୟୁନିୟନ ଅଫ ୱାର୍କିଂ ଜର୍ଣ୍ଣାଲିଷ୍ଟର ସଭାପତି ଭାଗବତ ତ୍ରିପାଠୀ, ମାଧବାନନ୍ଦ ବେଉରା, ପାର୍ଥସାରଥୀ ଜେନା, ଟୁଲୁ କୁମାର ପାତ୍ର, ଜେ କେ ସାନୁ, ପ୍ରଦୀପ ଚନ୍ଦ୍ର ପ୍ରଧାନ, ସନାତନ ଦଳବେହେରା, ଅକ୍ଷୟ କୁମାର ସାହୁ, ମନୋଜ କୁମାର ପ୍ରଧାନ, ଳକ୍ଷ୍ମୀକାନ୍ତ ଦାସ, ପ୍ରିୟ ରଞ୍ଜନ ସାହୁ, ସଞ୍ଜୟ ଦାସ, କିଶୋର ମଙ୍ଗରାଜ ଓ ପ୍ରଭାସ ରଞ୍ଜନ ଦାସଙ୍କ ସମେତ ଶତାଧିକ ସାମ୍ବାଦିକ ଉପସ୍ଥିତ ଥିଲେ।

Comments are closed.