ରାଜସ୍ଥାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜଭବନ ସମ୍ମୁଖରେ ପିସିସିର ବିକ୍ଷୋଭ

0

ଭୁବନେଶ୍ୱର : ଜୁଲାଇ ୨୭:କେନ୍ଦ୍ରର ବିଜେପି ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ଏବଂ କ୍ରମାଗତ ଭାବେ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଅନୈତିକ ଉପାୟରେ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ରାଜସ୍ଥାନରେ ବହୁମତ ପାଇ ସରକାର ଗଠନ କରିଥିବା କଂଗ୍ରେସ ଦଳର ବିଧାୟକ ମାନଙ୍କୁ ଅର୍ଥ ଓ ମନ୍ତ୍ରୀପଦ ପ୍ରଲୋଭନ ରେ ଆକୃଷ୍ଟ କରି ସରକାରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ କ୍ୟାବିନେଟ ଅନୁମୋଦନରେ ଜରୁରି ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳଙ୍କୁ ଦିଆଯାଇଥିବା ପ୍ରସ୍ତାବ କୁ ବିଜେପିର ପ୍ରରୋଚନାରେ ରାଜ୍ୟପାଳ ଗ୍ରହଣ ନକରିବା ଅଗଣତାନ୍ତ୍ରୀକ । କଂଗ୍ରେସ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେପି ଅର୍ଥବଳ ଓ ବାହୁବଳ ଖଟାଇବା ସହ କେନ୍ଦ୍ରୀୟ ପ୍ରଶାସନିକ ବ୍ୟବସ୍ଥାର ଦୁରୁପଯୋଗ କରି ନିର୍ବାଚିତ ବିଧାୟକ ମାନଙ୍କୁ ଅର୍ଥର ପ୍ରଲୋଭନ ଦେଖାଉଛି । ଗୋଟିକ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ କଂଗ୍ରେସ ଦଳର ବିଧାୟକ ମାନଙ୍କୁ ବହୁଳ ଅର୍ଥ ଏବଂ କ୍ଷମତାର ଲୋଭରେ ବଶୀଭୂତ କରି ନିଜ ଆଡକୁ ନେବାପାଇଁ ଉଦ୍ୟମ କରୁଛି । ଚତୁରତାର ସହ ଦଳବଦଳ ଆଇନରୁ ବର୍ତ୍ତିବା ଉଦ୍ଦେଶ୍ୟ ରେ ଆବସ୍ୟକ ସଂଖ୍ୟକ ବିଧାୟକ ମାନଙ୍କୁ ଅର୍ଥ ଓ କ୍ଷମତା ଦ୍ୱାରା ବଶୀଭୂତ କରିବାରେ ବିଫଳ ହେଲେ ବାହୁବଳ ପ୍ରୟୋଗ ପାଇଁ ବିଜେପି ର ନେତାମାନେ ପଛାଉ ନାହାନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ଗୃହମନ୍ତ୍ରୀ ଶ୍ରୀ ସାହାଙ୍କ ସମେତ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ଏହିପରି କୁସିଚିତ ବ୍ୟବସ୍ଥା କୁ ପ୍ରାଥମିକତା ଦେଉଛନ୍ତି । ଫଳରେ ଭାରତବର୍ଷର ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପନ୍ନ ହୋଇଛି ବୋଲି ସେ କହିଛନ୍ତି । ଦେଶରେ କରୋନା ମାହାମାରୀ କରାଳ ଛାୟା ବିସ୍ଥାର କରିଥିବାବେଳେ ସାଧାରଣ ଜନତା ଙ୍କ ଜୀବନ ଅପେକ୍ଷା କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି କରିବା ମୋଦି ସରକାରଙ୍କ ପ୍ରାଥମିକତା ହୋଇଛି ।
ବିଜେପି ତଥା କେନ୍ଦ୍ର ସରକାରଙ୍କର ଏତାଦୃଶ ଆଚରଣର ପ୍ରତିବାଦ କରି ଏବଂ ଗଣତନ୍ତ୍ର ଓ ସମିଧାନର ସୁରକ୍ଷାପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକର୍ମରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ପଞ୍ଚାନନ କାନୁନଗୋ, ଦେବାଶିଷ ପଟ୍ଟନାୟକ,ଜଗନ୍ନାଥ ପଟ୍ଟନାୟକ, ବିପିନ ଦାଶ,ସିବାନନ୍ଦ ରାୟ,ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ପଦ୍ମାକର ଗୁରୁ, ଜାନକୀ ବଲ୍ଲଭ ପଟ୍ଟନାୟକ, କନକଲତା ମଲ୍ଲିକ,ସଂକୁନା କଂହର,ଆଦିତ୍ୟ ପ୍ରୀତମ ଦାସ,ନିରଞ୍ଜନ ନାୟକ,ରଞ୍ଜିତ ପାତ୍ର,ମନୋରଞ୍ଜନ ରାଉତରାୟ,ଲୁଲୁ ମିଶ୍ର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.