ରାଜଧାନୀରେ ଖୋଲିବ ପାର୍କ ସକାଳ ୫ରୁ ୧୦, ଅପରାହ୍ନ ୪ରୁ ୬

୫-୭ଟା ବରିଷ୍ଠ ନାଗରିକ ଯିବେ ଶନିବାର, ରବିବାର ବନ୍ଦ

ଭୁବନେଶ୍ୱର: ଜୁନ ୦୩: ରାଜଧାନୀରେ ଖୋଲିବ ପାର୍କ । ଏଣିକି ପାର୍କ ଖୋଲିବା ସମୟ ବଦଳିଲା । ହେଲେ ଶନିବାର ଓ ରବିବାର ବନ୍ଦ ରହିବ ପାର୍କ । ଏହି ବିଜ୍ଞପ୍ତି ପ୍ରକାଶ କରିଛି ବିଏମ୍‌ସି ।
ଭୁବେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ସମସ୍ତ ପାର୍କ ଖୋଲିବ । କେବଳ ବିଏମ୍‌ସି ଅଧୀନରେ ଥିବା ପାର୍କ ନୁହେଁ, ବିଡିଏ ଅଧୀନରେ ଥିବା ସବୁ ପାର୍କ ବି ଖୋଲା ରହିବ । ସମସ୍ତ ପାର୍କ ପାଇଁ ନିୟମ ବଦଳାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସାରେ ପାର୍କ ଖୋଲିବା ସମୟ ପରିବର୍ତ୍ତନ କରାଯାଇଛି । ସପ୍ତାହର ଶନିବାର ଓ ରବିବାରକୁ ଛାଡି ବାକି ପାଞ୍ଚ ଦିନ ସକାଳ ୫ଟାରୁ ପୂର୍ବାହ@ ୧୦ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାର୍କ ଖୋଲା ରହିବ ।
ସେହିପରି ବରିଷ୍ଠ ନାଗରିକମାନେ ପାର୍କକୁ ସକାଳ ୫ଟାରୁ ୭ଟା ଭିତରେ ପ୍ରବେଶ କରିପାରିବେ । ଏହି ସମୟରେ ଅନ୍ୟ ବର୍ଗର ବ୍ୟକ୍ତିମାନଙ୍କୁ ପାର୍କ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ନିର୍ଦ୍ଧାରିତ ସମୟ ପରେ ବରିଷ୍ଠ ନାଗରିକଙ୍କୁ ପାର୍କ ମଧ୍ୟକୁ ଯିବାକୁ ଦିଆଯିବ ନାହିଁ । ସକାଳ ୫ଟାରୁ ୭ଟା ପରେ ବୟସ୍କ ବ୍ୟକ୍ତିମାନେ ମଧ୍ୟ ପାର୍କରେ ରହିପାରିବେ ନାହିଁ । ପାର୍କରେ ଥିବା ଦୋଳି, ପିଲାଙ୍କ ଖେଳ ସାମଗ୍ରୀ ଓ ମୁକ୍ତାକାଶ ଜିମ ଆଦିକୁ କେହି୍‌ ବ୍ୟବହାର କରିପାରିବେନି । ଲୋକମାନେ କେବଳ ପାର୍କରେ ବସିବେ ଓ ଭ୍ରମଣ କରିପାରିବେ । କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଏଗୁଡ଼ିକୁ ବନ୍ଦ କରାଯାଇଛି । ପ୍ରାୟ ଦୁଇ ମାସ ବନ୍ଦ ରହିବା ପରେ ମେ ୨୪ ତାରିଖରେ ବିଡିଏ କର୍ତ୍ତୃପକ୍ଷ ସମସ୍ତ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ତାଲାବନ୍ଦ କଟକଣା ଯୋଗୁଁ ପାର୍କ ଖୋଲିବା ଉପରେ କଟକଣା ଲାଗିଥିଲା ।

Comments are closed.