ରଥଯାତ୍ରା ବନ୍ଦ ମାମଲା;ନିଷ୍ପତ୍ତି ନେବେ ରାଜ୍ୟ ସରକାର: ହାଇକୋର୍ଟ

କଟକ : ରଥଯାତ୍ରା ହେବ କି ନହେବ ସେ ସଂକ୍ରାନ୍ତରେ ରାଜ୍ୟ ସରକାର ନେବେ ନିଷ୍ପତ୍ତି । କୋଭିଡ୍‌-୧୯କୁ ନେଇ କେନ୍ଦ୍ର ସରକାର ମେ’ ୩୦ରେ ଜାରି କରିଥିବା ନିର୍ଦ୍ଦେଶାବଳୀ ଏବଂ ରାଜ୍ୟ ସରକାର ଜୁନ୍‌ ପହିଲାରେ କରିଥିବା ନିୟମ ଆଧାରରେ ରଥଯାତ୍ରା ସଂକ୍ରାନ୍ତରେ ରାଜ୍ୟ ସରକାର ଯାହା ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ ଆଜି ଏକ ଆଦେଶରେ ସ୍ପଷ୍ଟ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ରଥ ଯାତ୍ର ସଂକ୍ରାନ୍ତରେ କୌଣସି ମତ ଦେବେ ନାହିଁ ବୋଲି କହିବା ସହ ମାମଲାର ଅନ୍ତ ଘଟାଇଛନ୍ତି । ଆଜିର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜି ଅଶୋକ ପରିଜା କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରଥଯାତ୍ରା ହେବକି ନାହିଁ ସେ ସଂକ୍ରାନ୍ତରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି ବୋଲି ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ । ମାନ୍ୟବର ଖଣ୍ଡପୀଠ ଏହାକୁ ବିଚାରକୁ ନେଇ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରା ବନ୍ଦ ପାଇଁ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏକ ମାମଲା ରୁଜୁ କରିଥିଲେ । ତାଙ୍କର ଯୁକ୍ତି ଥିଲା ଯେ, ପୂର୍ବରୁ ଅନେକ ସମୟରେ ବିଭିନ୍ନ ଅସୁବିଧାକୁ ନେଇ ରଥଯାତ୍ରା ବନ୍ଦ ରହିଛି । ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଯଦି ଏତେ ସଂଖ୍ୟକ ଲୋକ ଏକତ୍ରିତ ହୁଅନ୍ତି ତାହେଲେ କରୋନା ସଂକ୍ରମଣ ହେବାର ବହୁ ସମ୍ଭାବନା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଉ । ଅପରପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ପୁରୀ ବାସିନ୍ଦା ତଥା ପୁରୀ ସହରର ଆଇନଜୀବୀ ବିଶ୍ୱନାଥ ଦାସ, ରାମଚନ୍ଦ୍ର ସାହୁ ଏବଂ ଶିବାନନ୍ଦ ପାତ୍ର ଓ ସମାଜସେବୀ ଜୟନ୍ତ କୁମାର ବଳ, ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ପକ୍ଷରୁ ଏହାର ସମ୍ପାଦକ ସରୋଜ ସାହୁ ଆଜି ରଥଯାତ୍ରରା ସପକ୍ଷରେ ହାଇକୋର୍ଟରେ ଯୁକ୍ତି ରଖିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁବ୍ରତ ଶତପଥୀ ମଧ୍ୟ ପକ୍ଷ ରଖିଥିଲେ । ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜୟନ୍ତ କୁମାର ବଳଙ୍କ ପକ୍ଷରୁ ରୁଜୁ ମାମଲାକୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ଏବଂ ପୁରୀର ତିନି ଆଇନଜୀବୀ ଓ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ପକ୍ଷରୁ ରୁଜୁ ମାମଲାକୁ ଆଇନଜୀବୀ ବିଜୟ କୁମାର ରଗଡ ପରିଚାଳନା କରୁଥିଲେ ।

Comments are closed.