ରଥଯାତ୍ରା ପରିଚାଳନା; ତିନି ମନ୍ତ୍ରୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ କ୍ୟାମ୍ପ

0

ଭୁବନେଶ୍ୱର(ସବୁ୍ୟ) : ଜୁନ ୨୨:ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ତିନି ମନ୍ତ୍ରୀ ପୁରୀରେ କ୍ୟାମ୍ପ ପକାଇଛନ୍ତି । ସୁପ୍ରିମକୋର୍ଟରୁ ରଥଯାତ୍ରା ସପକ୍ଷରେ ରାୟ ଆସବା ପରେ ତୁରନ୍ତ ପୁରୀ ଯାଇ ସେଠାରେ କ୍ୟାମ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।
ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମଧ୍ୟ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପରେ ଏକ ଭିଡିଓ ବାର୍ତ୍ତାରେ ରଥଯାତ୍ରା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସ୍ଥିତି ତଦାରଖ କରିବାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ପୁରୀରେ ଅବସ୍ଥାନ କରିବେ । ରଥଯାତ୍ରା ପାଇଁ ପୁରୀର ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜଗନ୍ନାଥଙ୍କ ରୀତିନୀତି ଠିକ୍‌ ଭାବେ ପାଳନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମୟରେ ପୁରୀର ଜନସାଧାରଣଙ୍କୁ କୋଭିଡ-୧୯ ନିୟମ ମାନିବାକୁ ପଡ଼ିବ । କରୋନା ଯୋଗୁଁ ସାରା ବିଶ୍ୱ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏ ପରିସ୍ଥିତିରେ ରଥଯାତ୍ରା ପାଳନ ଏକ ଆହ୍ୱାନ । ରଥଯାତ୍ରା ପରିଚାଳନାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତି କୋଭିଡ-୧୯ ନିୟମ ପାଳିବାକୁ ପରାମର୍ଶ ଦିଆଯାଇଛି । ସାରା ବିଶ୍ୱର ନଜର ଏବେ ଆମ ଉପରେ ରହିବ । କୋଭିଡ ନିୟମ ମାନି ନୀତିକାନ୍ତିର ନିଦର୍ଶନ ଦେଖାଇବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.