ଯୁକ୍ତ ତିନି, ପିଜି ସେମିଷ୍ଟାର ପରୀକ୍ଷା ବାତିଲ ପ୍ଲୁସ ୩ ଫାଇନାଲ୍‌ ପରୀକ୍ଷା ହେବ

Edited by Papu Mohanty

ଭୁବନେଶ୍ୱର :ମେ ୨୬: ଯୁକ୍ତ ତିନି ମହାବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ ନାହିଁ । ସେହିପରି ସ୍ନାତକୋତ୍ତର ଶ୍ରେଣୀର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱବିଦ୍ୟାଳୟ ଗୁଡିକ ଦ୍ୱାରା ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ଯୁକ୍ତି ତନି ଫାଇନାଲ୍‌ ପରୀକ୍ଷା ଓ ସ୍ନାତକୋତ୍ତର ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବ ।
ମଙ୍ଗଳବାର ଲୋକସେବା ଭବନରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଆଲୋଚନା କରି କହିଛନ୍ତି, ପୂର୍ବ ନିଷ୍ପତ୍ତି ଅନୁଯାୟୀ ଯୁକ୍ତ ତିନି ୬ଷ୍ଠ ସେମିଷ୍ଟାର ଫାଇନାଲ୍‌ ପରୀକ୍ଷା ଏବଂ ସ୍ନାତକୋତ୍ତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ ପରୀକ୍ଷା ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ । ଜୁନ୍‌ ୨୦ ତାରିଖ ପରେ ଯୁକ୍ତ ତିନିର ୬ଷ୍ଠ ସେମିଷ୍ଟାର ଫାଇନାଲ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୨୪ ସୁଦ୍ଧା ଶେଷ ହେବ । ପରୀକ୍ଷା ଫଳ ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିପରି ସ୍ନାତକୋତ୍ତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ୍‌) ପରୀକ୍ଷା ଅଗଷ୍ଟ ୨୦ ସୁଦ୍ଧା ଶେଷ କରାଯିବ ଏବଂ ପରୀକ୍ଷା ଫଳ ସେପେଫମ୍ବର ୨୦ ତାରିଖ ମଧ୍ୟରେ ପ୍ରକାଶ ପାଇବ ।
ପ୍ରଥମଥର ପାଇଁ ଣ୍ଟ୩ ଏବଂ ପିଜି ପାଠ୍ୟସୂଚୀର ୨୫ ପ୍ରତିଶତ ପାଠ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱୟଂ-ଅଧ୍ୟୟନ ମାଧ୍ୟମରେ କରାଯିବ । ଅନଲାଇନ୍‌, ଅଫଲାଇନ୍‌ ଏବଂ ପାଠ୍ୟ ପୁସ୍ତକ ମାଧ୍ୟମରେ ଉନ୍ନତ ଷ୍ଟଡି ମାଟେରିଆଲ୍‌ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀମାନେ ଏଗୁଡିକ ନିଜେ ପଢିବେ ଏବଂ ଟୁ୍ୟଟୋରିଆଲ୍‌ କ୍ଲାସ୍‌ରେ ଅଧ୍ୟାପକଙ୍କ ଠାରୁ ସେମାନେ ପାଠ୍ୟ ସଂପର୍କର୍ରେ ପଚାରି ବୁଝିପାରିବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଜିଜ୍ଞାସା ବଢିବା ସହିତ ସମାଲୋଚନାତ୍ମକ ଚିନ୍ତାଶକ୍ତି, ଅନୁଶୀଳନ ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.