ଯମୁନା ଗାଧୁଆ ବୁଡ଼ ପରମ୍ପରା କ୍ଷୁର୍ଣ୍ଣ ଉଦ୍ୟମକୁ ବିରୋଧ;ଆନ୍ଦୋଳନ ଚେତାବନୀ

Reported by Nrusinga Charan Mohanty

ପୁରୀ,୨୩ା୫(ସବ୍ୟୁ):ଶ୍ରୀଜଗନ୍ନାଥ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବହନ କରିଥିବା ମଙ୍ଗଳାଘାଟର ଯମୁନା ଗାଧୁଆ ବୁଡ ଭଳି ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଆଧ୍ୟାତ୍ମିକ ଉତ୍ସବକୁ ବନ୍ଦ କରିଦେବା ଲକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଘରୋଇ ସଂସ୍ଥା ହାତରେ ଏହି ଉତ୍ସବ ସ୍ଥଳକୁ ଟେକି ଦିଆଯାଇଛି ବୋଲି ଯମୁନା ଗାଧୁଆ ବୁଡ ଓ ନନ୍ଦୋତ୍ସବ ସୁରକ୍ଷା ସମିତି ଅଭିଯୋଗ କରିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ଐତିହ୍ୟପୂର୍ଣ୍ଣ ଆଧ୍ୟାତ୍ମିକ ମହୋତ୍ସବକୁ ବନ୍ଦ କରିଦେବା ଲାଗି ଚଳାଇଥିବା ପ୍ରଚେଷ୍ଟାକୁ ବିରୋଧ କରିଛନ୍ତିି । ମଙ୍ଗଳାନଦୀ ଓ ମଙ୍ଗଳାଘାଟର ଐତିହ୍ୟ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ବିଧାୟକ ଶ୍ରୀ ଷଡଙ୍ଗୀ କହିଥିଲେ ଯେ ପୁରୀର ପୁରାତନ ୪ଟି ପ୍ରବେଶଘାଟ ମଧ୍ୟରୁ ମଙ୍ଗଳା ଘାଟ ଅନ୍ୟତମ । ଏହି ଘାଟରେ ଥିବା ଘାଟମଙ୍ଗଳା ମନ୍ଦିରକୁ ପ୍ରତ୍ୟହ ଶ୍ରୀମନ୍ଦିର ତରଫରୁ ମାଳମାହାର୍ଦ୍ଦ ଦିଆଯାଇଥାଏ । ଶ୍ରୀମନ୍ଦିର ଉପରେ ଆକ୍ରମଣ ଓ ଲୁଣ୍ଠନ ସମୟରେ ସେବକମାନେ ଶ୍ରୀଜିଉମାନଙ୍କୁ ମଙ୍ଗଳାଘାଟରେ ପାରି କରାଇ ଭାର୍ଗବୀ ନଦୀ ଦେଇ ଦୋବନ୍ଧା ଘାଟକୁ ନେଇଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିରେ ମଙ୍ଗଳାଘାଟର ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଗଜପତି ମହାରାଜା ମଙ୍ଗଳାଘାଟ ଠାକୁରାଣୀଙ୍କ ପାଇଁ ସ୍ୱତନ୍ତ୍ର ଖଞ୍ଜା କରାଇବା ସହ ରାଣୀ ଚଉତରା ନାମରେ ଏକ ଚଉତରା ନିର୍ମାଣ କରାଇଥିଲେ । ଗିରନାରୀ ବନ୍ତ ଠାରେ ତପସ୍ୟା କରି ସିଦ୍ଧି ପ୍ରାପ୍ତ ହୋଇଥିବା ବିଶିଷ୍ଟ ସାଧକ ଲଙ୍ଗୁଳୀ ବାବା ମଙ୍ଗଳାନଦୀକୁ ଯମୁନା ନଦୀ ରୂପେ କଳ୍ପନା କରି ଜନ୍ମାଷ୍ଟମୀରେ ସେଠାରେ ସ୍ନାନ କରି ଆସୁଥିଲେ । ଯମୁନା ଗାଧୁଆ ବୁଡ ସାହିଯାତ୍ରା ଭଳି ପୁରୀର ଏକ ପ୍ରାଚୀନ ସଂସ୍କୃତି ଓ ପରମ୍ପରା । ଏହି ଉତ୍ସବ ସ୍ଥଳକୁ ଜିଲ୍ଲା ପ୍ରଶାସନ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିଛି ଓ ସେଠାରେ ନିର୍ମାଣ କାର୍ଯ୍ୟ ଚାଲିଛି । ଯମୁନା ଗାଧୁଆ ଉତ୍ସବ ସ୍ଥଳରେ ଏଭଳି ନିର୍ମାଣ କାର୍ଯ୍ୟକୁ ସହରବାସୀ ଓ ବିଭିନ୍ନ ଜାଗା ଆଖଡା ପକ୍ଷରୁ ଦୃଢ଼ ବିରୋଧ କରାଯାଉଛି । ଆଗାମୀ ଦିନରେ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ଶ୍ରୀ ଷଡଙ୍ଗୀ ଚେତାଇଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ମୁଦୁଲି ଯାଗା ସଭାପତି ସୌମେନ୍ଦ୍ର ମୁଦାଲି, ରବିନାରାୟଣ ଦାସ, ଗଗନ ବିହାରୀ ଦାସ, ଭଗବାନ ମହାପାତ୍ର, ମାଧବ ଦଳାଇ, ଭାସ୍କର ପ୍ରଧାନ ଭାସ୍କର ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀଧର ସାହୁ, ପ୍ରଫୁଲ୍ଲ ସ୍ୱାଇଁ, ଓ ଲୋକନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.