ମାଡ ମାରି ଫସିଲେ ଆଇଆଇସି ସନ୍ଧ୍ୟାରାଣୀ: ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ

Edited by Papu Mohanty

ଭୁବନେଶ୍ୱର : May 19:ସହାୟତା ପାଇଁ ଥାନାକୁ ଆସିଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାଡ ମାରି ଗୁରୁତର କରିଥିବା କେନ୍ଦୁଝର ପାଟଣା ଥାନା ଆଇଆଇସି ଏବେ ହରଡଘଣାରେ ପଡିଛି । କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରି ରାଜ୍ୟ ବ୍ୟାପୀ ପୋଲିସ ପ୍ରଶଂସା ସାଉଁଟି ଥିଲାବେଳେ ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ କାର୍ଯ୍ୟ କଳାପ ପୋଲିସକୁ ନିନ୍ଦିତ କରିଛି । ଘଟଣାରୁ ଜଣାଯାଇଛି ଯେ ଜମି ବିବାଦକୁ ନେଇ ନିକଟସ୍ଥ ସାହାରପଡା ବ୍ଲକର ପ୍ରଭାସରଭା ଗ୍ରାମର ରାଜୁ ମହାନ୍ତି ଓ ତାଙ୍କ ଦାଦାଙ୍କ ମଧ୍ୟରେ ବିବାଦ ରହିଥିଲା । ଏନେଇ ପାଟଣା ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ଆଇଆଇସି ସନ୍ଧ୍ୟାରାଣୀ ରାଜୁଙ୍କୁ ଥାନାକୁ ଆଣିଥିଲେ ଓ ସେଠାରେ ତାକୁ ପ୍ରବଳ ମାଡ ମାରିଥିଲେ । ଲାଠିରେ ମାଡ ସହିତ ଗୋଇଠା ମଧ୍ୟ ମାରିଥିଲେ । ସନ୍ଧ୍ୟାରାଣୀଙ୍କ ଏଭଳି ଅମାନୁସିକ କାର୍ଯ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପ୍ରଶାସନିକ ସ୍ତରରେ ଆଲୋଡନ ସୃଷ୍ଟି ହୋଇଥିଲା । ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଏସ୍‌ପି ଓ ଆଇଆଇସିଙ୍କୁ ଜବାବ ତଲବ କରିଛନ୍ତି । କେନ୍ଦୁଝର ଏସ୍‌ପି ଓ ଆଇଆଇସିଙ୍କୁ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେବା ସହିତ ଆଇଆଇସିଙ୍କ ଦରମାରୁ ୧୦ହଜାର ଟଙ୍କା କାଟି ପୀଡିତ ଯୁବକଙ୍କୁ ତୁରନ୍ତ କ୍ଷତିପୂରଣ ବାବଦରେ ଦେବା ପାଇଁ ଗୃହ ସଚିବ ଓ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.