ମହାମାରୀ କରୋନା ଯନ୍ତ୍ରଣା : ଜୀବନ ଜୀବିକାର ଦୋଛକିରେ ଅଭିରାମ

0

Report: Dilip Chawda

ଭଞ୍ଜନଗର : ଜୁଲାଇ ୨୨: ମହାମାରୀ କରୋନାର ପ୍ରକୋପ ସାରା ପୃଥିବୀରେ ତାର କାୟା ବିସ୍ତାର କରିଛି । କରୋନା ଦ୍ୱାରା ସାରା ପୃଥିବୀବାସୀ ବେଶ ପ୍ରଭାବିତ ହେଉଛନ୍ତି । ବହୁ ବ୍ୟକ୍ତିଙ୍କ ଜୀବିକା ଛଡାଇ ନେଇଛି ଏହି ମହାମାରୀ କରୋନା । କରୋନା କଟକଣା ବନାମ ଜୀବନ ଯନ୍ତ୍ରଣା । ଆଉ ଅନେକ ପରିବାର କରୋନା ପ୍ରଭାବରୁ ନିଜ ନିଜର ପରିବାର ପ୍ରତିପୋଷଣ ପାଇଁ ଜୀବିକା ବଦଳାଉଛନ୍ତି । ବହୁ ପରିବାର ଏବେ ଜୀବନ ଜୀବିକାର ସଂଘର୍ଷରେ ରସା ତଳକୁ ଖସିଯାଇଛନ୍ତି । କାହାର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ତ ଆଉ କାହାର ବ୍ୟବସାୟ ଏହାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛି । ବହୁ ଛୋଟ ଓ ନାମମାତ୍ର ବ୍ୟବସାୟୀ ଏବେ କରୋନାର ପ୍ରଭାବରେ ପ୍ରାୟ ନିସ୍ୱ ହୋଇପଡିଛନ୍ତ୍‌ି । ଲକ୍ ଡାଉନ୍‌, ସଟ୍ ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ୍‌, ବଫର ଜୋନ୍ ପ୍ରଭାବରେ ଭଞ୍ଜନଗରର ଅଧିକାଂଶ ଛୋଟ ଓ ନାମମାତ୍ର ବ୍ୟବସାୟୀ ଏବେ ନିଜର ବ୍ୟବସାୟ ହରାଇ ଜୀବନ ଜୀବିକାର ଦୋଛକିରେ ଏକ ପ୍ରକାର କଷ୍ଟଦାୟକ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହିପରି ଏକ ବ୍ୟକ୍ତିବିଶେଷ ହେଲେ ଅଭିରାମ ପୋଲାଇ ।
ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଆଲପୁର ଗ୍ରାମର ଅଭିରାମ ପୋଲାଇ । ବୟସ ୫୮ବର୍ଷ । ମାତ୍ର ୧୫ବର୍ଷ ବୟସରୁ ନିଜ ଗାଁ ଆଲପୁର ଛାଡି ଜୀବନ ଜୀବିକା ପାଇଁ ଭଞ୍ଜନଗର ଚାଲି ଆସିଥିଲେ ଅଭିରାମ । ଏଠାରେ ରହି ସେ ପାନ ବ୍ୟବସାୟ ଆରମ୍ଭ କରିଥିଲେ । ଗାଆଁରୁ ପ୍ରତିଦିନ ବସ୍ ଯୋଗେ ପାନପତ୍ର ଆମଦାନୀ କରି ନିଜର ବ୍ୟବସାୟ ଜାରି ରଖିଥିଲେ ଅଭିରାମ । ପାନ ପତ୍ର ବ୍ୟବସାୟ ଆରମ୍ଭ କରି ନିଜର ଭାଗ୍ୟ ଓ ଭବିଷ୍ୟତ ଏଇଠି ପରୀକ୍ଷା କରିଥିଲେ । କିଛିଦିନ ପାନ ବ୍ୟବସାୟ କରିବାପରେ ଅଭିରାମଙ୍କ ମନ ପାନରୁ ଖସି ପ୍ଲାଷ୍ଟିକ ଖେଳନା ସବୁ କିଣି ଆଣି ଫୁଟପାଥରେ ବିକ୍ରି କରିଥିଲେ । ପରେ ପରେ ପ୍ଲାଷ୍ଟିକ୍ ବ୍ୟବସାୟ ବନ୍ଦ କରି ପକୋଡା ଦୋକାନ କରି ବେଶ କିଛିଦିନ ଚଳାଇଲେ । ପୁଣି ନିଜ ପକୋଡ଼ା ବ୍ୟବସାୟ ବନ୍ଦ କରି ଗତ ୧୫ବର୍ଷ ଧରି ଅଭିରାମ ଫଳ ବ୍ୟବସାୟ ଆରମ୍ଭ କରିଛନ୍ତି । ରାସ୍ତାକଡରେ ଫୁଟପାଥରେ ଆପେଲ, ଅଙ୍ଗୁର, ଡାଳିମ୍ବ, ପିଜୁଳୀ, ଲିଚୁ, କଦଳୀ, ପଇଡ ଆଦି ବ୍ୟବସାୟ କରି ଅଭିରାମ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ଅଭିରାମଙ୍କ ପତ୍ନୀଙ୍କ ସମେତ ୪ଝିଅ ଓ ଗୋଟିଏ ପୁଅ । ଇତିମଧ୍ୟରେ ଅଭିରାମ ୩ଟି ଝିଅର ଭଲ ଘର ଦେଖି ବିବାହ କରିସାରିଛନ୍ତି । ଏବେ ପାଖରେ ସାନ ଝିଅ ଓ ଏକମାତ୍ର ପୁଅ ଅଛନ୍ତି । ତେବେ ୬ମାସ ତଳେ ଅଭିରାମ ନିଜର ୩ ନମ୍ବର ଝିଅର ବାହାଘର କରିଥିଲେ । ବାହାଘର ବେଳେ ସେ ପାଖାପାଖି ୫ଲକ୍ଷ ଟଙ୍କା ବାକି କରିଥିଲେ । ୨ଟି ଘରୋଇ ଫାଇନାନ୍ସ କମ୍ପାନୀ ସମେତ ଧାରଉଧାର କରି ପାଖାପାଖି ୫ ଲକ୍ଷ ଟଙ୍କା ସେ ଏବେ ବାକି ହୋଇଯାଇଛନ୍ତିବୋଲି କହନ୍ତି ଅଭିରାମ । ତେବେ ପୂର୍ବରୁ ଅନ୍ୟ ଝିଅଙ୍କ ବାହାଘର ବେଳେ ସେ ଏମିତି ବାକି କରଜ କରି ବାହାଘର କରିଥିବାବେଳେ ପରବର୍ତ୍ତି ମୁହୂର୍ତ୍ତରେ ବ୍ୟବସାୟର ଲାଭରୁ ଋଣ ଭରଣା କରି ପରିବାର ଚଳାଇ ଆସୁଥିଲେ । ହେଲେ ଏବେ କରୋନା ମହାମାରୀ ତାଙ୍କ ଜୀବନ ଜୀବିକାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ୫ଲକ୍ଷ ଟଙ୍କା ବାକି ମୁଣ୍ଡରେ ବୋହି ସେ ମାନସିକଭାବେ ଭାଙ୍ଗି ପଡିଛନ୍ତି । କାରଣ ଏବେ ୪ମାସ ହେଲା ତାଙ୍କର ଫଳ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବ୍ୟବସାୟ ବନ୍ଦ କାରଣରୁ ପରିବାର ପ୍ରତିପୋଷଣ ଏବେ ତାଙ୍କ ପାଇଁ ଚାଲେଞ୍ଜ ହୋଇଯାଇଛି । ତେଣୁ ପଇଡ ସହ ପୁଣିଥରେ ପାନ ପତ୍ର ବ୍ୟବସାୟକୁ ଆପଣାଇଛନ୍ତି ଅଭିରାମ । ମହିଳା ଗୃପ୍ ଲୋନ ଏବେ ତାଙ୍କ ବେକରେ ଫାଶ ହୋଇ ଲାଗିଛି । ପ୍ରତିମାସରେ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ ତାଙ୍କୁ ବେଶ ବ୍ୟତିବ୍ୟସ୍ତ କରିସାରିଲାଣି । ଭଞ୍ଜନଗର ବ୍ରାହ୍ମଣସାହିରେ ଅଭିରାମ ନିଜର ଏକ ଛୋଟିଆ ଘର ତିଆରି କରି ପରିବାର ସହ ରହୁଥିବାବେଳେ ଏବେ ତାଙ୍କ ସଂସାର ରଥ ଆଗକୁ କିଭଳି ଗଡିବ ସେହିଚିନ୍ତାରେ ପଡି ଛଟପଟ ହେଉଛନ୍ତି । ତେବେ ଆଶା ଛାଡିନାହାନ୍ତି ଅଭିରାମ । ଜୀବନ ଜୀବିକାର ଦୋଛକିରେ ପଡି ଛଟପଟ ହେଉଥିବା ଅଭିରାମ ଏବେ ମଧ୍ୟ ପୁଣିଥରେ ପୂର୍ବସ୍ଥିତି ଫେରିବ ବୋଲି ଆଶା ବାନ୍ଧି ବସିଛନ୍ତି । କରୋନା ଯନ୍ତ୍ରଣା ଏମିତି କେତେ କାଳ ରହିବ ? ସରକାରଙ୍କ ଠାରୁ ଆରମ୍ଭ କରି ସଭିଏଁ ଯେତେବେଳେ ଏହାର ମୁକାବିଲା ପାଇଁ ଲାଗିଛନ୍ତି ନିଶ୍ଚୟ ଦିନେନା ଦିନେ ଏହାର ଔଷଧ ବାହାରିବ । କରୋନା ହାରିବ ଓ ଆମେ ନିଶ୍ଚୟ ଜିତିବା ଏହି ସଂକଳ୍ପ ମନରେ ରଖି ନିଜକୁ ନିଜେ ସାହାସ ଦେଉଛନ୍ତି ଅଭିରାମ । ବାସ୍ତବରେ ଅଭିରାମଙ୍କ ଭଳି ଅନେକ କ୍ଷୁଦ୍ର ଓ ନାମମାତ୍ର ବ୍ୟବସାୟୀଙ୍କ ଜୀବିକା ଏବେ ଠପ୍ ହୋଇ ରହିଥିବାବେଳେ ଆଗକୁ କଣ ହେବ ଏମାନଙ୍କ ଭବିଷ୍ୟତ ? କିପରି ଚାଲିବ ଗରିବ ଅସହାୟଙ୍କ ସଂସାର ରଥ ? ଏଭଳି ଅନେକ ଅଛିଣ୍ଡା ଖିଅ ଏବେ ସାଧାରଣ ଗରିବ ପରିବାରର ମୁଖ୍ୟମାନଙ୍କ ମନରେ ଖାଲି ଗୁଡେଇ ହେଉଛି ।

Leave A Reply

Your email address will not be published.