ମହାବାତ୍ୟା ଅମ୍ଫାନ: ସୁନ୍ଦରବନରେ ଲ୍ୟାଣ୍ଡଫଲ

-୨୦ ସଂନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ -ଘଣ୍ଟା ପ୍ରତି ପବନର ବେଗ ୨୬୫ ଟପିବ -ସୁମଦ୍ରରୁ ୪ରୁ ୫ ମିଟର ପର୍ଯ୍ୟନ୍ତ ଜୁଆର -୨୧ ବର୍ଷ ପରେ ସୁପର ସାଇକ୍ଲୋନ

Edited by Papu Mohanty

ଭୁବନେଶ୍ୱର,୧୮ା୫(ସବୁ୍ୟ): ଗଭୀର ସମୁଦ୍ରରେ ଥିବା ମହାବାତ୍ୟା ଅମ୍ଫାନ’ ଆହୁରି ଉଗ୍ର ହୋଇ ଉପକୂଳ ଆଡ଼କୁ ଅଗ୍ରସର ହେଉଛି । ୨୦ ସଂନ୍ଧ୍ୟାରେ ତାହା ପଶ୍ଚିମବଙ୍ଗର ଦିଘା ଓ ବଙ୍ଗଳାଦେଶର ହାତୀଆ ମଧ୍ୟବର୍ତ୍ତୀସୁନ୍ଦରବନ ଇଲାକାରେ ଲ୍ୟାଣ୍ଡଫଲ୍‌ କରିବ । କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଥିବା ଅମ୍ଫାନ ଏବେ ୪ କିମି ବେଗରେ ଧୀରଚଳନ କରୁଛି । ହେଲେ ପବନର ବେଗ ରହିଛି ଘଣ୍ଟା ପ୍ରତି ୨୩୦ କିଲୋମିଟର । ସ୍ଥଳଭାଗ ଛୁଇଁଲା ବେଳକୁ ଅତି ପ୍ରବଳ ବର୍ଷା ସହ ୨୬୫ କିମିରୁ ଅଧିକ ବେଗରେ ପବନ ବହିବ । ଏହି ସମୟରେ ସୁମଦ୍ରରୁ ସ୍ଥଳଭାଗ ଆଡ଼କୁ ୪ରୁ ୫ ମିଟର ଉଚ୍ଚରେ ଜୁଆର ମାଡ଼ି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।
ସାର୍ଟେଲାଇଟ୍‌ ଓ ମଡୁ୍ୟଲାର ରିପୋର୍ଟ ଆଧାରରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଥିଲେ, ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅମ୍ଫାନ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦକ୍ଷିଣ ପାଶ୍ୱର୍ରେ ରହିଛି । ରବିବାର ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଥିଲା । ସୋମବାର ଉତ୍ତର-ପୂର୍ବ ଦିଗକୁ ଗତି ଅତି ଭୟଙ୍କର ହୋଇ ମହାବାତ୍ୟା ରୂପ ନେଇଛି । ପାରାଦୀପ ଠାରୁ ଦକ୍ଷିଣକୁ ପ୍ରାୟ ୬୮୦ କିମି ଦୂରରେ ମହାବାତ୍ୟା ଥିଲାବେଳେ ଦୀଘା ଠାରୁ ୭୨୦ କିମି ଏବଂ ବାଙ୍ଗଲାଦେଶର ଖେପୁରା ଠାରୁ ପ୍ରାୟ ୮୨୫ କିମି ଦୂରରେ ରହିଛି ।
ଆଇଏମଡ଼ି ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଥିଲେ, ଆଉ ୩୬ ଘଣ୍ଟା ପରେ ଅର୍ଥାତ ୨୦ ସଂନ୍ଧ୍ୟା ସୁଦ୍ଧା ମହାବାତ୍ୟା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ । ପୂର୍ବ ଅପେକ୍ଷା ଅମ୍ଫାନ ବେଗ କମିଛି । ପ୍ରଥମେ ଶନିବାର ତାହା ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁ ଥିଲାବେଳେ ରବିବାର ଘଣ୍ଟା ପ୍ରତି ୧୩ କିମି ବେଗରେ ଗତି କଲା । ପରେ ୬ କିମି ବେଗରେ ଗତି କରିଥିଲେ ହେଁ ପୁଣି ବେଗ ଘଣ୍ଟା ପ୍ରତି ୮ କିମିକୁ ବଢିଥିଲା । ଏବେ ଘଣ୍ଟା ପ୍ରତି ବେଗ ୪ କିମି ରହିଛି । ତେଣୁ ସମୁଦ୍ର ଭିତରେ ଅଧିକ ସମୟ ଥିବାରୁ ମହା ବାତ୍ୟା ଅଧିକ ଶକ୍ତିଶାଳୀ ହୋଇଛି । ସୁପର ସାଇକ୍ଲୋନ ରୂପ ନେଇ ସାରିଛି । ସୁଦ୍ରରେ ଏବେ ଘଣ୍ଟା ପ୍ରତି ୨୩୦ କିମି ବେଗରେ ପବନ ବହୁଛି । ସ୍ଥଳଭାଗ ଛୁଇଁଲାବେଳକୁ ମହାବାତ୍ୟାର ବେଗ ୨୬୫କିମିକୁ ବଢିବ । ୨୦ ତାରିଖ ସୁଦ୍ଧା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ଅମ୍ଫାନ ଆହୁରି ଭୟଙ୍କର ହୋଇ ତାଣ୍ଡବ ରଚିବ । ଅଶାନ୍ତ ସୁମଦ୍ରରୁ ସ୍ଥଳଭାଗ ଆଡ଼କୁ ୪ରୁ ୫ ମିଟର ଉଚ୍ଚରେ ଜୁଆର ମାଡ଼ି ଆସିବ । ବିଶେଷକରି ପଶ୍ଚିମବଙ୍ଗର ୨୪ ପ୍ରଗଣାରେ ଉପକୂଳ ଇଲାକାରେ ସମୁଦ୍ର ମାଡ଼ି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।
ପ୍ରାୟ ୨୧ ବର୍ଷ ପରେ ବଙ୍ଗୋପ ସାଗରରେ ସୁପର ସାଇକ୍ଲୋନ(ମହାବାତ୍ୟା) ସୃଷ୍ଟି ହୋଇଛି । ୧୯୯୯ରେ ହୋଇଥିବା ମହାବାତ୍ୟା ଓଡ଼ିଶାରେ ପ୍ରଭୂତ କ୍ଷତି କରିଥିଲା । ସେତେବେଳେ ଏରସମା ସନ୍ନିକଟରେ ଲ୍ୟାଣ୍ଡଫଲ କରିଥିଲା । ବାତ୍ୟାର ବେଗ ଘଣ୍ଟା ପ୍ରତି ଥିଲା ୨୮୦ରୁ ୩୦୦କିମି । ଏବେ ମହାବାତ୍ୟା ଅମ୍ଫାନ ଅନୁରୂପ ଢଙ୍ଗରେ ବଙ୍ଗେପାସାଗରରୁ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ହେଲେ ୧୯୯୯ ମହାବାତ୍ୟା ଭଳି ଓଡିଶା ସ୍ପର୍ଶ ନ କରି ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଆଡେ ମୁହାଁଇଛି । ଏହା ସତ୍ତେ୍ୱ ଉଭୟ ରାଜ୍ୟର ସମୁଦ୍ର ତଟ୍ଟବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମହାବାତ୍ୟାର ପ୍ରଭାବ ଅଧିକ ରହିବ । ଓଡ଼ିଶାରେ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭାବିତ ରାଜ୍ୟଙ୍କ ସହ କଥା ହୋଇ ମହାବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ।

Comments are closed.