ଭୁବନେଶ୍ୱରରେ ଡ଼େଙ୍ଗୁର ପ୍ରାଦୁର୍ଭାବୁ

ଭୁବନେଶ୍ୱର: ଜୁଲାଇ ୨୯: କରୋନା ମହାମାରୀ ପରେ ଡ଼େଙ୍ଗୁର ଆତଙ୍କ ଏବେ ଭୁବନେଶ୍ୱର ବ୍ୟତିବ୍ୟସ୍ତ କଲାଣି । ଗୋଟିଏ ଦିନରେ ୩୨ ଜଣ ନୂଆ ଡ଼େଙ୍ଗୁ ରୋଗୀ ଭୁବନଶ୍ୱରରେ ଚିହ୍ନଟ ହୋଇଛନ୍ତି । ବିଶେଷକରି ରାଜଧାନୀର ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ଓ ବଡ଼ଗଡ଼ ବ୍ରିଟ୍‌ କଲୋନୀ ଅଞ୍ଚଳରେ ଏହି ରୋଗ ବ୍ୟାପୁଛି । ଭୁବନେଶ୍ୱର ଉତ୍ତର ଜୋନ୍‌ରୁ ମୋଟ୍‌ ୮୬ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ଡ଼େଙ୍ଗୁ ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମୁନିସିପାଲ୍‌ କର୍ପୋରେସନ (ବିଏମ୍‌ସି) ସତର୍କ ରହିଛି । ଏ ନେଇ କିଛି ଡାକ୍ତର ଗତକାଲି ଡ଼େଙ୍ଗୁ ବ୍ୟାପୁଥିବା ଅଞ୍ଚଳର ୪୫୦ରୁ ଅଧିକ ଘର ବୁଲି ପରିସ୍ଥିତିର ଅନୁଧ୍ୟାନ କରିଥିଲେ ।
କ୍ୟାପିଟାଲ୍‌ ହସ୍ପିଟାଲରେ ଏବେ ୩୦ ଜଣ ଡ଼େଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । କଟକର ଏସ୍‌ସିବିରେ ଗତକାଲି ୫ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକରୁ ୨ ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ କଟକର ଗୋବିନ୍ଦପୁରରୁ ଜଣେ ଲେଖାଏଁ ରୋଗୀ ରହିଛନ୍ତି । ଏହାକୁ ମିଶାଇ ଏସ୍‌ସିବିରେ ଏବେ ମୋଟ୍‌ ୧୦ ଜଣ ଡ଼େଙ୍ଗୁ ରୋଗୀ ଚିକିତ୍ସିତ ହୋଉଛନ୍ତି ।
ଡ଼େଙ୍ଗୁଠାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯାଉଛି । ଯେପରି ଘର ଚାରିପାଖେ ପାଣି ଜମା ନରଖିବା, ଶୋଇଲାବେଳେ ମଶାରୀ ବ୍ୟବହାର କରିବା, ବାଡ଼ି ଘର ସଫା ରଖିବା ତଥା ମଶା ପ୍ରତିଷେଧକ ଔଷଧ ସିଞ୍ଚନ କରିବା ।

Comments are closed.