ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ; ଜଣେ ଏମସ୍‌ କର୍ମଚାରୀ

ଭୁବନେଶ୍ୱର : ଜୁନ ୪:ଭୁବନେଶ୍ୱରରୁ ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ୪ ଜଣ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି ।
ବିଏମସି ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି, କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ଏହି ଆକ୍ରାନ୍ତ ଜଣକ ହୋମ କ୍ୱାରେଣ୍ଟାଇନ୍‌ରେ ଥିଲେ ଏବଂ ସେ ପୂର୍ବରୁ କଳିଙ୍ଗ ବିହାରରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେହିପରି ଅନ୍ୟ ୩ଜଣ ସଂକ୍ରମିତ ସ୍ଥାନୀୟ ମାମଲା । ୩ଜଣ ସଂକ୍ରମିତ ମଧ୍ୟରୁ ଜଣେ ଏମ୍ସ କର୍ମଚାରୀ ଥିବା ବେଳେ ଅନ୍ୟ ଦୁଇଜଣ ଆଇଗିଣିଆ ଓ ଡୁମୁଡ଼ୁମାର ରହିଛନ୍ତି । ଏମ୍ସର ଏହି କର୍ମଚାରୀ ଜଣେ ନର୍ସ ବୋଲି ସୂଚନା ମିଳିଛି । ନୂଆ ଚିହ୍ନଟ ରୋଗୀଙ୍କର କଣ୍ଟାକଫ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ଭୁବନେଶ୍ୱରର ୧୪ଜଣଙ୍କ ମଧ୍ୟରୁ ୯ଜଣଙ୍କର ବାହାର ରାଜ୍ୟ କିମ୍ବା ଟ୍ରାଭେଲ ହିଷ୍ଟି୍ର ରହିଛି । ବାକି ପାଞ୍ଚଜଣ ସ୍ଥାନୀୟ ସଂକ୍ରମିତ । ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ଗୁରୁବାର ଖୋର୍ଦ୍ଧା ଜିଲ୍ଲାରୁ ୨୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ସେଥିମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ୪ ଜଣ ଥିବା ସ୍ପଷ୍ଟ ହୋଇଛି । ରାଜ୍ୟରେ ଆଜି ୧୩ଟି ଜିଲ୍ଲାରୁ ସକାଳେ ୯୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି ।

Comments are closed.