“ଭାରତୀୟ ବିଜ୍ଞାପନ ଶିଳ୍ପରେ ଭାବନା ଶକ୍ତିର ରାଜୁତି”

0

ଭୂବନେଶ୍ୱର: ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡ଼ିଜ୍ ଆନୁକୁଲ୍ୟରେ “ଭାରତୀୟ ବିଜ୍ଞାପନ ଶିଳ୍ପରେ ଭାବନା ଶକ୍ତିର ରାଜୁତି” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅତିଥିଭାବେ ଯୋଗଦେଇ ଅଲଟରନେଟିଭ ଆସୋସିଏଟର ମୁଖ୍ୟ ପରିଚାଳକ ଓମ ପ୍ରକାଶ ଧଳ କହିଥିଲେ ଯେ ବିଜ୍ଞାପନ ଏବଂ ଗଣମାଧ୍ୟମ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ସଦୃଶ । ବିନା ବିଜ୍ଞାପନରେ କୌଣସି ଗଣମାଧ୍ୟମ ସଂସ୍ଥା ତିଷ୍ଠିପାରିବ ନାହିଁ କାରଣ ଏହା ଅନୁଷ୍ଟାନର ଇନ୍ଧନ ସ୍ୱରୁପ । ସେହିପରି ପ୍ରଭାବଶାଳୀ ବିଜ୍ଞାପନ ଗୁଡ଼ିକ ଭିନ୍ନ ଭିନ୍ନ ଭାବନା ଓ ଚିନ୍ତାଧାରା ଉପରେ ପର୍ଯ୍ୟବେଷିତ ହୋଇଥାଏ । ଜଣେ ବିଜ୍ଞାପନଦାତା ସର୍ବଦା ଗ୍ରାହକମାନଙ୍କୁ ଆଖିଆଗରେ ରଖି ବିଜ୍ଞାପନ ପ୍ରସ୍ତୁତ କରିଥାନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ ।

ଛାତ୍ରଛାତ୍ରୀ ମାନଙ୍କୁ ଏଶିଳ୍ପରେ ଯୋଗ ଦେବା ପାଇଁ ଆହ୍ୱାନ ଦେଇ କହିଥିଲେ ଯେ ଭାରତୀୟ ବଜାରରେ ବିଜ୍ଞାପନ ଶିଳ୍ପର ବିକାଶ ଦିନକୁ ଦିନ ଉର୍ଦ୍ଧଗାମୀ ହେଉଛି । ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଗଣମାଧ୍ୟମ ଅନୁଷ୍ଠାନ ଅପେକ୍ଷା ବିଜ୍ଞାପନ ସଂସ୍ଥା ମାନଙ୍କରେ ଆର୍କଷଣୀୟ ଦରମା ସହ ନିଯୁକ୍ତିର ସୁଯୋଗ ରହିଛି ବୋଲି ସେ କହିଥିଲେ ।

ସୋଆ ଏଫଏମ ରେଡ଼ିଓର ଆର.ଜେ. କେ.ପି. ଏଥିରେ ଯୋଗଦେଇ କହିଥିଲେ ଯେ ବିଜ୍ଞାପନ କେବଳ ଖବରକାଗଜ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ସୀମିତ ନୁହେଁ । ଏହାର ପରିସର ବ୍ୟାପକ ଏବଂ ବହୁମୁଖୀ । ତନ୍ମଧ୍ୟରୁ ରେଡ଼ିଓ ବା ବେତାର ର ପ୍ରଭାବ ଅଧିକ ଏବଂ ଦୀର୍ଘସ୍ଥାୟୀ । କାରଣ ରେଡ଼ିଓରେ ଆମେ ଶୁଣିବା ଉପରେ ଗୁରୁତ୍ୱ ଦେଇଥାଉ ଯାହା ଶ୍ରୋତାମାନଙ୍କର ଭାବାବେଗକୁ ଛୁଇଁଥାଏ । ସେଥିପାଇଁ ସୃଜନଶୀଳତା ଓ ଭିନ୍ନ ଭାବିବାର ଦକ୍ଷତା ନିତ୍ୟାନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ ।

ସେହିପରି ୯୨.୭ ବିଗ ଏଫ.ଏମ୍‌.ର ଆର.ଜେ ଗୁଡ଼ି (ରିତୁପର୍ଣ୍ଣା ମହାପାତ୍ର) ଯୋଗଦେଇ କହିଥିଲେ ଯେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଗୁଡ଼ିକ ଗ୍ରାହକ ମାନେ ଦେଖୁଛନ୍ତି ଯାହାଫଳରେ ସହଜରେ ଆର୍କଷିତ ହୋଇଥାନ୍ତି । ଠିକ୍ ସେହିଭଳି ଢଙ୍ଗରେ ରେଡ଼ିଓର ବିଜ୍ଞାପନକୁ ଅନୁଭବ କଲାଭଳି ଉପସ୍ଥାପନ କରିବା ଆବଶ୍ୟକ । ସମସ୍ୟାର ସମାଧାନ ପାଇଁ ଉପାୟ ଖୋଜୁଥିବା ବେଳେ ନୂତନ ଭାବନା ଏବଂ ଚିନ୍ତାଧାରା ସୃଷ୍ଟି ହୁଏ ଯାହା ଅନ୍ୟମାନଙ୍କଠାରୁ ନିଜକୁ ପୃଥକ କରାଏ । ରେଡ଼ିଓ ବିଜ୍ଞାପନରେ ମଧ୍ୟ ନୂତନ ଭାବନା ଏବଂ ସୃଜନଶୀଳତା ଏକ ବଡ଼ ଭୂମିକା ନିର୍ବାହ କରିଥାଏ । ବିଭିନ୍ନ ଦ୍ରବ୍ୟ ଓ ସେବାର ବିଜ୍ଞାପନ ଗୁଡ଼ିକୁ ଉଦାହରଣ ଦେବାକୁ ଯାଇ ସେ କହିଥିଲେ ଯେ ୮୦ ଓ ୯୦ ଶତକରେ ପ୍ରସ୍ତୃତ ହୋଇଥିବା ଲୋକପ୍ରିୟ ବିଜ୍ଞାପନ ଗୁଡ଼ିକର ଚାହିଦା ଏବଂ ପ୍ରଭାବ ଆଜିବି ଦେଖିବାକୁ ମିଳେ ବୋଲି ସେ ମତାମତ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ସିଗନେଚର୨୪ ପ୍ରଡ଼କସନସ୍‌ର ପ୍ରତିଷ୍ଠାତା ନିର୍ଦ୍ଧେଶିକା ଜୋୟିତା ରୟ ସାମାଜିକ ଓ ଡ଼ିଜିଟାଲ ଗଣମାଧ୍ୟମରେ ବିଜ୍ଞାପନର ଚାହିଦା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଜିର ଇ୍‌ଂଟରନେଟ ଏବଂ ଡ଼ିଜିଟାଲ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ନିଜର ଆତ୍ମପ୍ରଚାର ଓ ପ୍ରସାର କରିବା ସହ ନିଜକୁ ଏକ ସାମାଜିକ ପ୍ରାଣୀ ବୋଲି ସହଜରେ ବିବେଚିତ କରିପାରିବ, ଯାହା ଏକ ଖୋଲା ସମାଜ ପ୍ରତିଷ୍ଠା କରିବାରେ ସହାୟକ ହେବ । ସେଥିପାଇଁ ଡ଼ିଜିଟାଲ ଗଣମାଧ୍ୟମ କ୍ଷେତ୍ରରେ ବିଜ୍ଞାପନ ଶିଳ୍ପର ଚାହିଦା ଏବଂ ସୁଯୋଗ ପ୍ରଯ୍ୟାପ୍ତ ରହିଛି ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦ୍ଧେଶକ ଉପେନ୍ଦ୍ର ପାଢୀ, ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.