ଭାଇରାଲ ଅଡିଓ ମାମଲା: ତଦନ୍ତରେ ସହଯୋଗ କଲେ, ଗିରଫ ହେବେନି ଆବେଦନକାରୀ

ଭୁବନେଶ୍ୱର : ଅଗଷ୍ଟ ୧୯: ଏକ ଘରୋଇ ଟିଭି ଚ୍ୟାନେଲ ସୋସିଆଲ ମିଡିଆରେ ପ୍ରସାରିତ ରାଜ୍ୟ ସରକାରଙ୍କ କୋଭିଡ-୧୯ ଚିକିତ୍ସା ସମ୍ବନ୍ଧିତ ଭାଇରାଲ ଅଡିଓକୁ ନେଇ ବିବାଦକୁ ନେଇ ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ ସହଯୋଗ କଲେ ଅଭିଯୋଗର ସମ୍ମୁଖୀନ ହୋଇଥିବା ଅଭିଯୁକ୍ତ ଗିରଫ ହେବେ ନାହିଁ ବୋଲି କୋର୍ଟ କହିଛନ୍ତି । ଇତିମଧ୍ୟରେ ଏହି ଭାଇରାଲ ଅଡିଓରେ ଯେଉଁ ଦୁଇଜଣ ବ୍ୟକ୍ତିଙ୍କ ବାର୍ତ୍ତାଳାପ ରହିଛି ସେମାନେ ଗିରଫ ହୋଇ ଜାମିନରେ ମୁକୁଳି ସାରିଛନ୍ତି । ତେଣେ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି । ସଂପୃକ୍ତ ଟିଭି ଚାନେଲରେ କାର୍ଯ୍ୟରତ ୩ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହି ମାମଲାର ଶୁଣାଣି କରି ସେମାନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ । ଉକ୍ତ ମାମଲାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସମ୍ପୃକ୍ତ ଟିଭି ଚ୍ୟାନେଲ୍‌କୁ ନୋଟିସ୍‌ ଜାରି କରାଯିବା ସହ ଭୁବନେଶ୍ୱର ଡିସିପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇ ଭାଇରାଲ ଅଡିଓରେ ମିଥ୍ୟା ତଥ୍ୟ ରହିଛି ବୋଲି ଅଭିଯୋଗ କରାଯାଇଛି । ଏ ନେଇ ଗିରଫଦାରୀ ଆଶଙ୍କାରେ ଘରୋଇ ଚାନେଲରେ କାର୍ଯ୍ୟରତ ତିନିଜଣ କର୍ମଚାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଉକ୍ତ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀ ଥାନାକୁ ଯାଇ ପୁଲିସକୁ ତଦନ୍ତରେ ସହଯୋଗ କର;ୁ, ସେମାନଙ୍କୁ ଗିରଫ କରାଯିବ ନାହିଁ । ଅନ୍ତରୀଣ ସୁରକ୍ଷା ନେଇ ହାଇକୋର୍ଟ କହିଛନ୍ତି ଯେ ସିଆରପିସି ଧାରା ୧୬୦ ଅଧିନରେ ନୋଟିସ ଆସିଥିବାରୁ ଆବେଦନକାରୀ ତଦନ୍ତକାରୀ ଅଧିକାରୀଙ୍କୁ ଆଇନରେ ବ୍ୟବସ୍ଥା ଅନୁସାରେ ସହଯୋଗ କର;ୁ, ସେମାନଙ୍କର ଗିରଫଦାରୀ ହେବ ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ କରାଯିବ ବୋଲି ସ୍ଥିରୀକୃତ ହୋଇଛି ।

Comments are closed.