ଭର୍ଚୁଆଲ୍‌ ରାଲିରେ ଶାହାଙ୍କ ଉଦବୋଧନ; ଓଡିଶା ହେବ ବିଜେପିର ଅଭେଦ୍ୟ ଗଡ

ବିକଶିତ ରାଜ୍ୟ କରିବୁ, କାମ ପାଇଁ କେହି ଯିବେନି ବାହାରକୁ

ଭୁବନେଶ୍ୱର : ଜୁନ ୮: ଓଡିଶା ହେବ ବିଜେପିର ଅଭେଦ୍ୟଗଡ । ଏଠାରେ ସଙ୍ଗଠନକୁ ଅଧିକ ମଜଭୁତ କରିବାକୁ ପଡିବ ଓ ଏଥିପାଇଁ ସବୁ ବିଜେପି କାର୍ଯ୍ୟକର୍ତ୍ତା ଆଗେଇ ଆସନ୍ତୁ ବୋଲି ଅହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ରରେ ବିଜେପି ସରକାରର ଦ୍ୱିତୀୟ ପାଳି ପ୍ରଥମ ବର୍ଷ ଅବସରରେ ଦଳ ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲିରେ ଉଦ୍‌ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ସଙ୍ଗଠନ ହେଉଛି ବିଜେପିର ପ୍ରାଣ ।ଏବେ ସେବା ହିଁ ସଙ୍ଗଠନ ହେବା ଉଚିତ । ଏହାକୁ ଭିତ୍ତି କରି ଓଡିଶାରେ ସଙ୍ଗଠନକୁ ଅଧିକ ମଜଭୁତ କରିବାକୁ ପଡିବ ଓ ଓଡିଶାକୁ ବିଜେପିର ଅଭେଦ୍ୟଗଡ ଭାବେ ତିଆରି କରିବା ପାଇଁ ସେ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଗତ ବର୍ଷକ ମଧ୍ୟରେ କେନ୍ଦ୍ର ସରକାର କରିଥିବା ବିକାଶମୂଳକ କାର୍ଯ୍ୟରେ ହିସାବ ନିକାଶ ଦେଇଛନ୍ତି ଶ୍ରୀ ଶାହା । ସେ କହିଛନ୍ତି ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ । ଏଠାରୁ କୌଣସି ଶ୍ରମିକଙ୍କୁ କାମ ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ବିଜେପି ଦ୍ୱାରା ହିଁ ଓଡ଼ିଶା ଓ ଦେଶର ବିକାଶ ସମ୍ଭବ । ପୂର୍ବର କଂଗ୍ରେସ ସରକାର ଅମଳରେ ଓଡ଼ିଶାକୁ ନିୟମିତ ଭାବେ ଅବହେଳା କରାଯାଉଥିଲା । ତ୍ରୟଦଶ ଅର୍ଥ ଆୟୋଗ ମାଧ୍ୟମରେ କଂଗ୍ରେସ ସରକାର ଓଡ଼ିଶାକୁ ମାତ୍ର ୭୯୪୮୬ କୋଟି ଟଙ୍କା ଦେଇଥିଲାବେଳେ ମୋଦି ସରକାର ଆସିବା ପରେ ଓଡ଼ିଶାକୁ ଗତ ୫ ବର୍ଷରେ ପ୍ରାୟ ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସରକାରଙ୍କୁ ଦୁଃଖ ଦେଇଛି । କିନ୍ତୁ, ସେମାନଙ୍କ ସୁରକ୍ଷା ସରକାରଙ୍କୁ ଅଧିକ ଚିନ୍ତିତ କରିଥିଲା । କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଭଲ କାମ କରିଛନ୍ତି । ସରକାରଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ ଦ୍ୱାରା ଓଡ଼ିଶାର କୃଷକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନେ ଉପକୃତ ହେବେ । କୃଷିଜାତ ସାମଗ୍ରୀର ଏମ୍‌ଏସ୍‌ପି ବୃଦ୍ଧି ଯୋଗୁଁ ଓଡ଼ିଶାର କୃଷକ ବିଶେଷ ଭାବେ ଉପକୃତ ହେବେ । କାରଣ ଓଡ଼ିଶାର ମୋଟ କୃଷି ଉତ୍ପାଦନର ୭୦ ପ୍ରତିଶତ ଧାନ ।
ଶ୍ରୀ ଶାହା କହିଲେ ଲୋକସଭା ନିର୍ବାଚନରେ ଓଡ଼ିଶା ବିଜେପିକୁ ଓଡିଶା ୩୮.୪% ଭୋଟ୍‌ ଓ ୮ଟି ଲୋକସଭା ଆସନ ଦେଇଛି । ୯୧ଲକ୍ଷରୁ ଅଧିକ ଲୋକ ମୋଦିଙ୍କୁ ଆର୍ଶୀବାଦ ଦେଇଛନ୍ତି । ଓଡିଶାକୁ ବିକଶିତ ରାଜ୍ୟ କରିବା ହେଉଛି ବିଜେପିର ପ୍ରତିଶ୍ରୁତି I ଏହା ନିଶ୍ଚିତ କରାଯିବ । ମୋଦି ଆସିବା ବେଳକୁ ଦେଶର ୬୦କୋଟି ଲୋକଙ୍କର ବ୍ୟାଙ୍କ ଖାତା ନଥିଲା । ମାତ୍ର ଏବେ ୩୧କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ଡିବିଟି ଜରିଆରେ ଗରିବ ଲୋକଙ୍କ ପାଖରେ ସିଧାସଳଖ ଲାଭ ପହଞ୍ଚାଯାଉଛି । ୨୦ହଜାର ଗାଁ ଓ ଅଢେଇ କୋଟି ଲୋକଙ୍କ ପାଖରେ ବିଜୁଳି ପହଞ୍ଚୁଛି, ୧୦କୋଟି ଗରିବଙ୍କ ଘରେ ଶୌଚାଳୟ ପହଞ୍ଚାଯାଇଛି । ନିକଟରେ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜର ଓଡିଶା ବହୁତ ଫାଇଦା ପାଇବ । ପାଇକ ସ୍ମାରକୀ ବିକାଶ ପାଇଁ ଶହେକୋଟି ଟଙ୍କା ଦିଆଯାଇଛି । ୫ବର୍ଷରେ ଓଡିଶାକୁ ୫ଲକ୍ଷ୫୨ହଜାର ୧୦୯କୋଟି ଟଙ୍କା ଦିଆଯାଇଛି ।
ଶ୍ରୀ ଶାହା କହିଛନ୍ତି ଆଗରୁ ଶତ୍ରୁ ଆକ୍ରମଣ କରୁଥିଲେ, ମୁଣ୍ଡକାଟି ନେଇଯାଉଥିଲେ । ଊରୀ, ପୁଲୱମା ଆକ୍ରମଣ ଦ୍ୱାରା ଏହାର ତୁରନ୍ତ ପ୍ରତିଶୋଧ ନିଆଗଲା । ସେ କହିଲେ କରୋନା ସମ୍ନାରେ ପୃଥିବୀର ବଡବଡ ଦେଶ ଧ୍ୱସଂବିଧ୍ୱସ୍ତ ହୋଇଛନ୍ତି । ଏବେ ଦେଶର ୧୩୦କୋଟି ଲୋକ କରୋନା ବିରୋଧରେ ଲଢୁଛନ୍ତି । ଆମର ଲଢେଇ ବହୁତ ଭଲଅଛି ଓ ବିଶ୍ୱ ତୁଳନାରେ ଆମେ ଭଲ ସ୍ଥିତିରେ ଅଛୁ । ୩ଲକ୍ଷରୁ ଅଧିକ ଭାଇ ବିଭିନ୍ନ ସ୍ଥାନରୁ ଓଡିଶା ଫେରିଛନ୍ତି । ଗତ ୧ବର୍ଷର କାର୍ଯ୍ୟକାଳ ଭିତରେ ଆମର କିଛି ତ୍ରୁଟି ଥାଇପାରେ କିନ୍ତୁ ଆପଣମାନେ କଣ କରିଛନ୍ତି ଲୋକଙ୍କୁ ହିସାବ ଦିଅନ୍ତୁ ବୋଲି ବିରୋଧିଙ୍କୁ ଆହ୍ୱାନ କରିଥିଲେ ଶ୍ରୀ ଶାହା । ଦେଶର ଜନତାଙ୍କ ପାଇଁ ୧ଲକ୍ଷ ୭୦ହଜାର କୋଟି ଦିଆଯାଇଛି । ଏକ ଦେଶ-ଏକ ରେଶନକାର୍ଡ ଲାଗୁକରି ଗରିବଙ୍କୁ ଶକ୍ତି ପ୍ରଦାନ କରିଛନ୍ତି ମୋଦି ସରକାର । ତେବେ ୭୦ବର୍ଷରେ ଅନ୍ୟମାନେ କଣ କରିଛନ୍ତି ତାର ହିସାବ ଦେବା ଉଚିତ ବୋଲି ସେ କହିଛନ୍ତି ।
ଡିଜିଟାଲ ପ୍ଲାଟଫର୍ମରେ ଶାହାଙ୍କର ଏହି ଜନସମ୍ବାଦ କାର୍ଯ୍ୟକ୍ରମରେ ଓଡ଼ିଶାର କାର୍ଯ୍ୟକର୍ତ୍ତାମାନେ ଦଳିୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲାବେଳେ ଜିଲ୍ଲାସ୍ତରରେ ମଧ୍ୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସେମାନଙ୍କୁ ଦିଆଯାଇଥିବା ଲିଙ୍କ୍‌ ଜରିଆରେ କାର୍ଯ୍ୟକ୍ରମ ଦେଖିଥିଲେ ।

Comments are closed.