ଭଦ୍ରକ ଜିଲ୍ଲାରେ ବାତ୍ୟା ‘ଆମ୍ପନ’ପର ବିଭୀଷିକା; କାଲି ସୁଦ୍ଧା ଜିଲ୍ଳାରେ ବିଜୁଳି ସରବରାହ ସ୍ୱାଭାବିକ ହେବ

ଚାଷ ଓ ବାସର କ୍ଷୟକ୍ଷତି ରିପୋର୍ଟ ୩ଦିନ ଭିତରେ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Reported by Umakalyan Mohapatra

ଭଦ୍ରକ,୨୧ ।୦୫(ଜିପ୍ର):ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ୨ଟି ବ୍ଳକକୁ ବାତ୍ୟା ‘ଆମ୍ପନ’ ଅଧିକ ପ୍ରଭାବିତ କରିଛି । ସମୁଦ୍ର ଉପକୂଳ ଧାମରାରେ ବାତ୍ୟାର ପ୍ରକୋପ ଅଧିକ ଥିବାରୁ କ୍ଷୟକ୍ଷତି ପରିମାଣ ଅଧିକ ରହିଥିବା ବେଳେ ବାତ୍ୟା ଯୋଗୁଁ ସର୍ବାଧିକ କ୍ଷତି ବିଦ୍ୟୁତ ବିଭାଗର ବୋଲି ପ୍ରାଥମିକ ଆକଳନରୁ ଜଣାଯାଇଛି । ଆଜି ‘ଅମ୍ଫାନ’ ବାତ୍ୟାର ସର୍ବାଧିକ କ୍ଷତିଗ୍ରସ୍ତ ଧାମରା ଅଞ୍ଚଳକୁ ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ଜୀବନଯାତ୍ରାକୁ ସ୍ୱାଭାବିକ କରାଇବା ପାଇଁ ଆଲୋଚନା କରିଛନ୍ତିି । ବାତ୍ୟା ପ୍ରଭାବରେ ବିଶେଷ କରି ବିଦ୍ୟୁତ ଷ୍ଟ୍ରକଚର ଗୁଡିକ ଭାଙ୍ଗିରୁଜୁ ଯାଇଛି । ୧୧କେଭି, ୩୩ କେଭି ଓ ଏଲ୍‌.ଟି ଲାଇନ୍ ବିଦ୍ୟୁତ ଖୁଣ୍ଟି ଗୁଡିକ ଧରାଶାୟୀ ହୋଇଥିବା ବେଳେ ଆଉ କେତେକ ଗଛ ପଡି ବହୁ ସବଷ୍ଟେସନ ଭାଙ୍ଗିରୁଜୁ ଯାଇଛି । ତେବେ ଏହି ସବୁର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ୭୫ପ୍ରତିଶତ ଗ୍ରାମାଞ୍ଚଳ ବିଦ୍ୟୁତ ସଂଯୋଗ କରାଯିବ ସହ ଆସନ୍ତା କାଲି ସକାଳ ସୁଦ୍ଧା ଜିଲ୍ଲାର ଅଞ୍ଚଳରେ ବିଦ୍ୟୁତ ସରବରାହ ଜାରି ରହିବ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଜିଲ୍ଲାରେ ବିଦ୍ୟୁତ ବିଭାଗର ୨ଟି ଡିଭିଜନ ମଧ୍ୟରୁ ନର୍ଥ ନେସ୍କୋ ଅଧିନରେ ଥିବା ଚାନ୍ଦବାଲି, ତିହିଡି, ବାସୁଦେବପୁର ଓ ଭଦ୍ରକ ଅଞ୍ଚଳ ରହିଛି । ଏହା ମଧ୍ୟରୁ ବାସୁଦେବପୁର, ଚାନ୍ଦବାଲି ଓ ତିହିଡି ୩ଟି ବ୍ଲକରେ ବିଦ୍ୟୁତ ଷ୍ଟ୍ରକଚର ଗୁଡିକ ବହୁ ସଂଖ୍ୟାରେ ଭାଙ୍ଗି ରୁଜି ଯାଇଛି । ପାଖାପାଖି ୪ଶହ ୫ଶହ କିମିର ସଂଯୋଗ ଥିବା ୧୧କେଭି, ୩୩ କେଭି ଓ ଏଲ୍‌.ଟି ଲାଇନର ପ୍ରାୟ ୯ଶହ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିଥିବା ବେଳେ ଆଉ କେତେକ ଗଛପଡି ଭାଙ୍ଗି ରୁଜିଯାଇଛି । ସେହିପରି ୫୦ଟି ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଧିକାଂଶ ଟ୍ରାନ୍ସଫର୍ମରରୁ ତେଲ ବାହାରି ଅଚଳ ହୋଇଯାଇଛି । ଏହି କ୍ଷୟକ୍ଷତିର ପ୍ରାଥମିକ ଆକଳନ ପାଖାପାଖି ୪/୫ କୋଟି ୪୫ଟଙ୍କା ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ଆସନ୍ତା କାଲି ସୁଦ୍ଧା ଅସ୍ଥାୟୀଭାବେ ଏହି ସବୁ ବ୍ଲକ ଗୁଡିକରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଶେଷ ହେବ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସ୍ଥାୟୀ ନିର୍ମାଣ କାର୍ଯ୍ୟଗୁଡିକୁ କରାଯିବ । ସେହିପରି ସାଉଥ ଡିଭିଜନର ଧାମନଗର, ଭଣ୍ଡାରିପୋଖରୀ, ବନ୍ତ ୩ଟି ବ୍ଲକରେ ବାତ୍ୟାର ପ୍ରଭାବ କମ୍ ଥିବାରୁ କ୍ଷୟକ୍ଷତି ମଧ୍ୟ କମ୍ ରହିଛି । ଏହି ୩ଟି ବ୍ଲକରେ ପାଖାପାଖି ୧୧କେଭି ୫୦ କିମି, ୩୩ କେଭି ୪୦ କିମି ଓ ୭୫କିମି ଏଲ୍‌.ଟି ଲାଇନ୍ ବିଦ୍ୟୁତ ଖୁଣ୍ଟ ଓ ତାର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ୨୦ରୁ ୨୫ଟି ସବଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଯୋଗୁଁ ଏହି ଡିଭିଜନର ୫୦ରୁ ୬୦ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି । ତେବେ ଏହି ବ୍ଲକ ଗୁଡିକରେ ବିଦ୍ୟୁତ ସରବରାହ ପାଇଁ ୧୩ଟି ଟିମ୍ ଦ୍ୱାରା ମରାମତି କାର୍ଯ୍ୟ ଜାରି ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ୯୫ପ୍ରତିଶତ ଗ୍ରାମାଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି । ସେହିଭଳି ବାସଗୃହ, ଚାଷ ଆଦି କ୍ଷୟକ୍ଷତି ରିପୋର୍ଟ ଏକ ଯୁଗ୍ମ କମିଟି ଗଠନ କରି ଆସନ୍ତା ୩ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଡ.ଦାସ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.