ଭଞ୍ଜନଗର ଉପଖଣ୍ଡର ପ୍ରତି ବ୍ଲକ ଓ ଏନଏସିକୁ ଯିବ ଭ୍ରାମ୍ୟମାଣ ସ୍ୱାବ୍ ସଂଗ୍ରହ ଭ୍ୟାନ୍

0

Report: Dillip Chawda

ଭଞ୍ଜନଗର : ଜୁଲାଇ ୧୯: ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଓ ୫ଟି ଏନଏସି ଅନ୍ତର୍ଗତ ବିଭିନ୍ନ ହଟସ୍ପଟ ଅଞ୍ଚଳରେ ସନ୍ଦିଗ୍ଧ ଲୋକଙ୍କ ସ୍ୱାବ୍ ସଂଗ୍ରହ ପାଇଁ ଏଣିକି ଭ୍ରାମ୍ୟମାଣ ସ୍ୱାବ୍ ଟେଷ୍ଟିଂ ଭ୍ୟାନ ଘୁରିବୁଲିବ । ଆଉ ତୁରନ୍ତ ସ୍ୱାବ ସଂଗ୍ରହ କରାଯାଇ ଏହାକୁ ଟେଷ୍ଟିଂ ପାଇଁ ବ୍ରହ୍ମପୁର ପଠାଇବ । ଫଳରେ ଏକକାଳୀନ ସମସ୍ତ ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ ହେବାସହ ଏହାଦ୍ୱାରା ସ୍ଥାନୀୟ ସଂକ୍ରମଣକୁ ରୋକାଯାଇପାରିବବୋଲି ଜିଲ୍ଲା ପ୍ରଶାସନ ଆଶାପ୍ରକାଶ କରିଛି । ଖାସ ଏଇଥିପାଇଁ ଏବେ ପ୍ରତିବ୍ଲକ ଓ ଏନଏସି ଇଲାକାରେ ରେଡଜୋନ୍ ଗ୍ରାମ ଓ ୱାର୍ଡର ଘରକୁ ଘର ବୁଲି ସ୍ୱାବ୍ ସଂଗ୍ରହ କରାଯାଇପାରିବ । ଗ୍ରୀନଜୋନରେ ଏହାର ଆବଶ୍ୟକତା ନଥିବାବେଳେ ରେଡଜୋନ୍‌ରେ କରୋନାର ସମୂଳ ବିନାଶ ପାଇଁ ଏହି ଭ୍ରାମ୍ୟମାଣ ସ୍ୱାବ୍ ସଂଗ୍ରହ ଭ୍ୟାନ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଶାବ୍ୟକ୍ତ କରିଛନ୍ତି ।
ଇତିମଧ୍ୟରେ ଭଞ୍ଜନଗର ଉପଖଣ୍ଡ କାର୍ଯ୍ୟାଳୟକୁ ଏହି ଭ୍ରାମ୍ୟମାଣ ସ୍ୱାବ୍ ସଂଗ୍ରହ କେବିନ୍ ଆସି ପହଞ୍ଚି ଯାଇଛି । ଏଥିରୁ ଏବେ ପ୍ରତି ବ୍ଲକ ଓ ଏନଏସି ମୋବାଇଲ ସ୍ୱାବ୍ ସଂଗ୍ରହ କେବିନ୍ ନେବା ଆରମ୍ଭ କଲେଣି । ଖୁବଶୀଘ୍ର ଏହା ସବୁ ବ୍ଲକ ଓ ଏନଏସି ଇଲାକାରେ ପହଞ୍ଚିଯିବ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉଲ୍ଲେଖ କରିଛନ୍ତି । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ରେଡ୍ ଜୋନ୍ ଇଲାକାରେ ଏହି ଭ୍ରାମ୍ୟମାଣ ସ୍ୱାବ୍ ସଂଗ୍ରହ ଭ୍ୟାନ ଘୁରିବାସହ ଲୋକଙ୍କ ସ୍ୱାବ ସଂଗ୍ରହ କରି ଏହାର ଟେଷ୍ଟିଂ ପାଇଁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରିବ । ଏହି ମୋବାଇଲ ସ୍ୱାବ୍ କଲେକସନ୍ କେବିନ୍‌କୁ ଗୋଟିଏ ଭ୍ୟାନରେ ରଖାଯିବ । ଆଉ ଭ୍ୟାନଟି ସାହିକୁ ସାହି ବୁଲିବ । ଏହି କେବିନ୍ ଭିତରେ ଜଣେ ତାଲିମପ୍ରାପ୍ତ ଟେକିନିସିଆନ୍ ରହିବେ । ସେ କ୍ୟାବିନ୍ ଭିତରେ ରହିବେ ଓ ସନ୍ଦିଗ୍ଧ ବ୍ୟକ୍ତି କ୍ୟାବିନ୍ ବାହାରେ ରହିବେ । ସ୍ୱାବ୍ ସଂଗ୍ରହ କରିବା ପାଇଁ ଏଥିରେ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିବା ଉପଜିଲ୍ଲାପାଳ ମିଞ୍ଜ ସୂଚନା ଦେଇଛନ୍ତି । ଏହାଦ୍ୱାରା ଆମେ କରୋନାକୁ ରୋକିବାରେ ସାମର୍ଥ ହୋଇପାରିବା ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.