ବୋଲବମ୍‌ ଉପରେ ବ୍ରେକ୍; ଶୈବପୀଠରେ ହେବନି ଜଳାଭିଷେକ

ଭୁବନେଶ୍ୱର : ଜୁଲାଇ ୪:କୋଭିଡ ମହାମାରୀ ପାଇଁ ଚଳିତ ବର୍ଷ ବୋଲବୋମ୍‌ ଉପରେ କଟକଣା ଜାରି କରିଛନ୍ତି ସରକାର । ଫଳରେ କାଉଡ଼ିଆମାନେ ଆଉ ମନ୍ଦିରରେ ଜଳାଭିଷେକ କରିପାରିବେ ନାହିଁ କି କଟକ-ଭୁବନେଶ୍ୱର ରାସ୍ତାରେ ଆଉ କାଉଡିଆଙ୍କ କୋଳାହଳ ଦେଖିବାକୁ ମିଳିବନି । ସଂକ୍ରମଣ ଭୟ ଭିତରେ କାଉଡ଼ିଆଙ୍କ ଭିଡ଼ ଆଡ଼େଇବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ । ସେମାନଙ୍କୁ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢ଼ାଳିବାକୁ ଅନୁମତି ଦିଆଯିବ ନାହିଁ । ରାଜ୍ୟରେ ୩୧ ତାରିଖ ଯାଏ କରୋନା ଲକ ଡାଉନ ରହିଛି । ଏହି ସମୟରେ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶ କିମ୍ବା ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ତେଣୁ ଶ୍ରାବଣମାସରେ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଯାଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଶ୍ରାବଣ ସୋମବାର । ଏହି ମାସର ସୋମବାରେ ଶିବଭକ୍ତମାନେ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିଥାଆନ୍ତି । ଶନିବାର, ରବିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଜଳ ସଂଗ୍ରହ କରି କାଉଡ଼ିଆ ମାନେ ସୋମବାରରେ ଶିବଲିଙ୍ଗରେ ଜଳାଭିଷେକ କରନ୍ତି । ମନ୍ଦିର ଗୁଡ଼ିକରେ ଭିଡ଼ି ଲାଗିଲେ ସଂକ୍ରମଣ ଭୟ ଥିବାରୁ କାଉଡ଼ିଆ ପ୍ରକିୟାକୁ ବନ୍ଦ ରଖାଯିବ । କୌଣସି ଭକ୍ତ ଜଳଲାଗି କରିବେ ନାହିଁ ।

Comments are closed.