ବୈତରଣୀ ନଦୀରେ ବନ୍ୟା ପରିସ୍ଥତି ସଙ୍ଗୀନ : ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୧୧୪ଟି ଗାଁ ଜଳମଗ୍ନ

ଭଦ୍ରକ: ଅଗଷ୍ଟ ୨୮: (ଜିପ୍ର):ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ବନ୍ୟା ପରିସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି । ବନ୍ୟା ଯୋଗୁଁ ଏହାର ଶାଖା କୋଚିଳା, ଗେଙ୍ଗୁଟି, ରେବ ନଦୀରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହାର ବିପଦ ସଂକେତ ୮୭.୮୩ମିଟର । ତେବେ ଉପରମୁଣ୍ଡରେ ଗତକାଲି ବର୍ଷା ହୋଇନଥିବାରୁ ରାତିରେ ବନ୍ୟାଜଳ ହ୍ରାସ ପାଇବ ବୋଲି ବନ୍ୟା ପରିଚାଳନା ଦାୟିତ୍ୱରେ ଭଦ୍ରକ ଆସିଥିବା ଏସ୍‌.ସି ଇଂ.ଚିିନ୍ମୟ ରାଉତ ସୂଚନା ଦେଇଛନ୍ତି । ଆଜି ଜିଲ୍ଲାପାଳ ଡ.ଜ୍ଞାନ ଦାସ ଧାମନଗର ଓ ଭଣ୍ଡାରିପୋଖରୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା ଯୋଗୁଁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଧାମନଗର ବ୍ଲକର ଆନନ୍ଦପୁର, ଖଡିପଦା, ଦୋବଲ, ସୋହଡା, କରଦା, ପଧାନୀ, ହସନାବାଦ, ଦଳାଙ୍ଗ, ବୟାଂଡିହୀ, ନଦୀଗାଁ, କଟସାହି, ଅର୍ଜୁନପୁର, କୋଠାର, ରାଧାବଲ୍ଲଭପୁର, ରଇପୁର, ସାହାସପୁର, ଫତେପୁର, ଧୂଷୁରୀ, ବମକୁରା ଓ ମୁସ୍ତାଫାପୁର ୨୦ଟି ପଞ୍ଚାୟତର ୭୨ଟି ଗାଁ ପାଣିଘେରରେ ରହିଥିବା ବେଳେ ଚାଷଜମି ଗୁଡିକରେ ପାଣିଘେରରେ ରହିଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକର ମାଳଦା, ନପଙ୍ଗ, ଝୁଣ୍ଟୁଣା, ଶୋଳମପୁର, ରହଣୀଆ, କୁରିଗାଁ, ବନ୍ଦାଳ ମଣିଆଳି, ବାଲିପୋଖରୀ, ରଣଜିତ ୯ଟି ପଞ୍ଚାୟତର ୪୨ଟି ଗାଁ ବନ୍ୟା ପ୍ରଭାବିତ ହେବା ସହ ଚାଷଜମି ଜଳମଗ୍ନ ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଧାମନଗର ବ୍ଲକର ଗେଙ୍ଗୁଟିନଦୀର ଦୋବଲ-ଷ„ପୁର ପୋଲରେ ବନ୍ୟାଜଳ ପ୍ରଭାବ ଜାରି ରହିଛି । ଜିଲ୍ଲାପାଳ ଡ.ଦାସ ସଂପୃକ୍ତ ସ୍ଥାନରେ ପହଞ୍ଚି ରାସ୍ତାରେ ବନ୍ୟାଜଳ ପ୍ରଭାବ ହେତୁ କୌଣସି ଯାନବାହାନ ଚଳାଚଳ ନକରିବା ବିଶେଷ କରି ଛୋଟ ପିଲାମାନଙ୍କୁ ନଛାଡିବା ପାଇଁ ସ୍ଥାନୀୟ ପୋଲିସକୁ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି । ବନ୍ୟାଜଳ ପ୍ଲାବିତ ଅଞ୍ଚଳରୁ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ଛୋଟ ଶିଶୁଥିବା ପରିବାରଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଏମାନଙ୍କୁ ନିକଟସ୍ଥ ସ୍କୁଲ ଘରେ ରଖାଯିବା କଥା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାବ୍ୟତୀତ କିଛି କଚ୍ଚାଘର ବନ୍ୟାଯୋଗୁଁ ଭାଙ୍ଗି ଯାଇଥିବା ଓ ଜଳମଗ୍ନ ଚାଷଜମି ଗୁଡିକର କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାର ସେ ସୂଚନା ଦେଇଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଭଣ୍ଡାରିପୋଖରୀରେ ଏନ୍‌ଡିଆର୍‌ଏଫ ଓ ଧାମନଗରେ ଓଡ୍ରାଫ୍‌ ଟିମ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.