ବୁର୍ଲା ଭୀମସାରରେ ଦୁଇ ଶିଶୁ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର, ଅଗଷ୍ଟ ୧୪: ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାରକୁ କରୋନାରେ ଆକ୍ରାନ୍ତ ଥିବା ଦୁଇ ଶିଶୁଙ୍କ କେସ୍‌ ଆସିଛି । ସେହି ଶିଶୁଙ୍କ ବୟସ ପ୍ରାୟ ୮ ମାସ ଓ ୫ ବର୍ଷ ହେବ । ଏନେଇ ଭୀମସାର ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଉଭୟ ଶିଶୁ ଅସୁସ୍ଥ ଥିବାରୁ ପରିବାର ଲୋକ ଚିକିତ୍ସା ପାଇଁ ସେମାନଙ୍କୁ ଭୀମସାର ଆଣିଥିଲେ । ସେଠାରେ ତାଙ୍କର ଆଣ୍ଟିଜେନ ଟେଷ୍ଟ ରିପୋର୍ଟରୁ କରୋନ ହୋଇଥିବା ଜଣାପଡ଼ିଛି । ସମ୍ଭାବ୍ୟ କରୋନାର ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହୋଇପାରନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଆଗୁଆ ସତର୍କତାବାଣୀ ଦେବା ସହିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ତୃତୀୟ ଲହର ମୁକବିଲା ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ଶିଶୁ ରୋଗ ବିଶେଷଜ୍ଞମାନେ ମଧ୍ୟ ସାମିଲ ରହିଛନ୍ତି । ଶିଶୁମାନଙ୍କ ପାଇଁ ୩ ହଜାର ବେଡ୍‌ ବ୍ୟବସ୍ଥା ରାଜ୍ୟ ସ୍ତରରେ ନିଷ୍ପତି ନିଆଯାଇଛି । ଏହାସହ ପେଡିଆଟ୍ରିକ୍‌ ବେଡ ସଂଖ୍ୟା ବୃଦ୍ଧି , ଆବଶ୍ୟକୀୟ ଉପକରଣ, ଅକ୍ସିଜେନ ଓ ଅକ୍ସିଜନ୍‌ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି । ଶିଶୁମାନଙ୍କର ସଠିକ୍‌ ଓ ଶୀଘ୍ର ଚିକିତ୍ସା ଲାଗି ଆବଶ୍ୟକୀୟ ଭିତ୍ତିଭୂମିର କାର୍ଯ୍ୟ ମଧ୍ୟ କରାଯାଉଛିଖ ।

Comments are closed.