ବିଜେଡିର ନୂଆ ପଦାଧିକାରୀ ନିଯୁକ୍ତ; ୮ ବରିଷ୍ଠଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ

ଭୁବନେଶ୍ୱର : ଜୁଲାଇ ୦୧:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଆଠଜଣ ବରିଷ୍ଠ ଉପସଭାପତି ଓ ୯ଜଣ ଉପସଭାପତିଙ୍କୁ ନିଯୁକ୍ତି ମିଳିଛି । ପ୍ରଥମ ଥର ଲାଗି ନବନିଯୁକ୍ତ ୯ ଉପସଭାପତିଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏଥିସହ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି ।
ବରିଷ୍ଠ ଉପସଭାପତି ଭାବେ ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଓ ବିମ୍ବାଧର କୁଅଁରଙ୍କୁ ମିଳିଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଭାବେ ନିଯୁକ୍ତ କରାଯାଇଛି । ଅନ୍ୟ ପକ୍ଷରେ ଉପସଭାପତି ଭାବେ ମଙ୍ଗଳା କିଷାନ୍‌, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ନାରାୟଣ ପାତ୍ର,ପ୍ରଦୀପ କୁମାର ଅମାତ ଓ ପଦ୍ମନାଭ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେହିପରି ମଙ୍ଗଳା କିଷାନ୍‌ଙ୍କୁ ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ମିଳିଥିବା ବେଳେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବସମ୍ବଳ ବିକାଶ ଦାୟିତ୍ୱ ମିଳିଛି । ଦେବୀ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ମୋ ପରିବାର, ବିକ୍ରମ କେଶରୀ ଅରୁଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ମଙ୍ଗଳ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ଉନ୍ନୟନ, ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଏବଂ ପଦ୍ମନାଭ ବେହେରାଙ୍କୁ ତଫସିଲଭୁକ୍ତ ଜାତିସଶକ୍ତି କରଣ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

Comments are closed.