ବାହାରିଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର, ଜୁଲାଇ ୩୦: ଆଜି ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ପାସ୍‌ ହାର ୯୯.୩୭ ପ୍ରତିଶତ ରହିଛି । ପାସ୍‌ ହାରରେ ଛାତ୍ରୀମାନେ ଆଗୁଆ ରହିଛନ୍ତି । ଛାତ୍ରଙ୍କ ପାସ୍‌ ହାର ୯୯.୧୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍‌ ହାର ୯୯.୬୭ ପ୍ରତିଶତ ରହିଛି ।
୭୦ ହଜାର ୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିପରି ୧ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।
କରୋନା ମହାମାରୀ ସଂକ୍ରମଣ ଯୋଗୁ ଏବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେୀଣୀ ପରୀକ୍ଷା ବାତିଲ କରାଯାଇଥିଲା । ବୋର୍ଡ଼ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ପଦ୍ଧତି ଯୋଗେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ଆଭ୍ୟନ୍ତରୀଣ ମୂଲ୍ୟାୟନ ପ୍ରକ୍ରିୟା ଓ ପୂର୍ବ ବର୍ଷର ପରୀକ୍ଷାଫଳକୁ ନେଇ ହିସାବ କରାଯାଇଛି ।
ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରଙ୍କ ପାଇଁ ୪୦:୩୦:୩୦ ଅନୁପାତ ପଦ୍ଧତି ଅବଲମ୍ବନ କରାଯାଇଛି । ଏଥିରେ ଦ୍ୱାଶର ୟୁନିଟ୍‌ ଟେଷ୍ଟ ପରୀକ୍ଷା ଓ ପ୍ରି ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ନମ୍ବର , ଦଶମର ୩୦ ପ୍ରତିଶତ ନମ୍ବର ଏବଂ ଏକାଦଶର ୩୦ ପ୍ରତିଶତ ନମ୍ବରକୁ ପ୍ରାଧାନ୍ୟ ଦିଆଯାଇଛି ।
କେନ୍ଦି୍ରୟ ବିଦ୍ୟାଳୟଗୁଡ଼ିକର ପରୀକ୍ଷା ଫଳ ଶତ ପ୍ରତିଶତ ରହିଛି । ନବୋଦୟ ବିଦ୍ୟାଳୟଗୁଡ଼ିକର ପାସ୍‌ ହାର ୯୯.୯୪ ପ୍ରତିଶତ ରହିଛି । ଘରୋଇ ବିଦ୍ୟାଳୟଗୁଡ଼ିକର ପାସ୍‌ ହାର ୯୯.୨୨ ପ୍ରତିଶତ ।
ଅନ୍ୟପକ୍ଷେ, ୬୫ ହଜାର ୧୮୪ ଛାତ୍ରଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନି । ଅଗଷ୍ଟ ୫ ତାରିଖ ସୁଦ୍ଧା ସେମାନଙ୍କର ଫଳ ପ୍ରକାଶ ପାଇବ ।

Comments are closed.