ବହି ବଣ୍ଟନଲାଗି ଏସ୍‌ଓପି ଜାରି; ମୋବାଇଲ୍‌ ମେସେଜ୍‌ ପାଇଲେ ଆସିବେ ଅଭିଭାବକ

Edited by Papu Mohanty

ଭୁବନେଶ୍ୱର(ସବୁ୍ୟ): 09/05: ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିପାରୁନି । ପ୍ରାୟ ୧୫ଦିନ ହେଲା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ସବୁ ପିଲା ବହି ପାଇବାରୁ ବଞ୍ଚିତ ହୋଇଛନ୍ତି । କିଛି ସ୍ଥାନରେ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ବହି ବଣ୍ଟନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସଓପି) ଜାରି କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏହି ଏସଓପି କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି ।
ଏଣିକି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିଦ୍ୟାଳୟରୁ ବହି ଗ୍ରହଣ କରିବେ । ୱାଟ୍ସଆପ୍‌ ଗ୍ରୁପ୍‌ ଓ ମୋବାଇଲ୍‌ ମେସେଜ୍‌ ପାଇଲା ପରେ ହିଁ ସେମାନେ ବହି ନେବା ପାଇଁ ଆସିବେ । ବିଦ୍ୟାଳୟ ଆସିବା ସମୟରେ ସେମାନେ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍‌ ମାନିବେ । ମୁହଁରେ ମାସ୍କ/କପଡ଼ା ପିନ୍ଧିବା ବାଧ୍ୟତାମୂଳକ । ସେମାନଙ୍କ ବସିବା ତଥା ଅପେକ୍ଷା କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରହିବ । ଯଦି ୩୦ ଜଣ ଅଭିଭାବକ ଏକ ସମୟରେ ଆସିଥିବେ, ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଧାଡ଼ିରେ ଛିଡ଼ା କରାଯାଇ ବହି ବଣ୍ଟନ କରାଯିବ । ଅନ୍ୟମାନେ ଅଭିଭାବକ ଅପେକ୍ଷା କରିବେ । ସ୍କୁଲ ପ୍ରବେଶ ପଥରେ ହାତ ଧୋଇବା ପାଇଁ ସାବୁନ୍‌ ଓ ପାଣି ବ୍ୟବସ୍ଥା କରାଯିବ । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାରୁ ଅଭିଭାବକଙ୍କ ଲାଗି ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି । ବହି ବଣ୍ଟନ ଲାଗି ସ୍କୁଲରେ ଅତି କମ୍‌ରେ ୫ଟି କାଉଣ୍ଟର ଖୋଲାଯିବ । ସ୍କୁଲର ଯେଉଁ ଷ୍ଟାଫ୍‌ମାନେ ବହି ବାଣ୍ଟିବେ, ସେମାନେ ମାସ୍କ, ଗ୍ଲୋବ୍ସ ପିନ୍ଧିବା ସହ ସାମାଜିକ ଦୂରତା ରଖିବେ । ବହି ଗ୍ରହଣ କରିବା କ୍ଷଣି ଅଭିଭାବକମାନେ ସ୍ଥାନ ଛାଡ଼ି ଚାଲିଯିବେ । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଇଡ୍‌ଲାଇନକୁ୍‌ ଆଧାର କରି ରେଡ୍‌ ଜୋନ୍‌ରେ ବହି ବଣ୍ଟନ କରାଯାଇପାରିବ । କୌଣସି ବି ପରିସ୍ଥିତିରେ କଣ୍ଟେନମେଣ୍ଟ ଜୋନରେ ବହି ବଣ୍ଟନ କରିବାକୁ ଅନୁମତି ଦିଆଯିବ ନାହିଁ । ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ହଟିବା ପରେ ବହି ବଣ୍ଟନ କରାଯିବ । ବଣ୍ଟନ ପୂର୍ବରୁ ଅଭିଭାବକଙ୍କୁ ଅବଗତ କରାଯାଇ ଅଲଗା ଅଲଗା ଦିନରେ ସ୍କୁଲ କର୍ତ୍ତୃପକ୍ଷ ବହି ବାଣ୍ଟିବେ ।

Comments are closed.