ବଲିଉଡ୍‌ର ପ୍ରଥମ ନାରୀକୈନ୍ଦ୍ରିକ ହାଇ ବଜେଟ୍‌ ଫିଲ୍ମ ‘ଧାକଡ୍‌’

0

ଦିଲ୍ଲୀ: ଅଗଷ୍ଟ ୨୬: ଫିଲ୍ମ ଅପେକ୍ଷା ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ ଧାକଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ବଲିଉଡ୍‌ରେ ଏପର୍ଯ୍ୟନ୍ତ ଯେତେ ବି ହାଇ ବଜେଟ୍‌ର ଫିଲ୍ମ ନିର୍ମାଣ ହୋଇଛି, ସେସବୁ ପୁରୁଷ ପ୍ରଧାନ ଫିଲ୍ମ ରହିଛି । ଅନ୍ୟପକ୍ଷରେ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ଥିବା ଫିଲ୍ମର ବଜେଟ୍‌ ସାମାନ୍ୟ କିମ୍ବା କମ୍‌ ରହିଥାଏ । ହେଲେ କଙ୍ଗନା ଏହି ପ୍ରଥାକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଖବର ଅନୁଯାୟୀ କଙ୍ଗନାଙ୍କ ଫିଲ୍ମ ‘ଧାକଡ’ ହିନ୍ଦୀ ସିନେମାର ହାଇ ବଜେଟ୍‌ ମହିଳା ପ୍ରଧାନ ଫିଲ୍ମ ହେବାକୁ ଯାଉଛି । ଭାରତୀୟ ସିନେପ୍ରେମୀଙ୍କୁ ଭିନ୍ନ ଧରଣର କାହାଣୀ ଭେଟିଦେବାରେ କଙ୍ଗନା ସର୍ବଦା ଆଗୁଆ ରହିଛନ୍ତି । ସେହିପରି ଦେଶର ପ୍ରଥମ ନାରୀ କୈନ୍ଦ୍ରିକ ହାଇ ବଜେଟ୍‌ ଫିଲ୍ମ ତାଲିକାରେ କଙ୍ଗନା ନିଜ ନାମ ସାମିଲ କରି ରେକର୍ଡ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଏପର୍ଯ୍ୟନ୍ତ ୭୦-୮୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ଆଗକୁ ପ୍ରମୋସନ ବଜେଟ୍‌ ସାମିଲ କଲେ ଏହା କଙ୍ଗନାଙ୍କ ୧୦୦ କୋଟି ଟଙ୍କାର ପ୍ରଡକ୍ସନ କାଷ୍ଟର ପ୍ରଥମ ଫିଲ୍ମ ହେବ । ଏହାକୁ ଦେଖିଲେ ଏପର୍ଯ୍ୟନ୍ତ ବଲିଉଡ୍‌ର କୌଣସି ଅଭିନେତ୍ରୀଙ୍କ ଫିଲ୍ମରେ ଏତେ ଟଙ୍କା ଖର୍ଚ୍ଚ ହୋଇନାହିଁ । କିଛି ଦିନ ପୂର୍ବେ କଙ୍ଗନା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଫିଲ୍ମର ଆକ୍ସନ ସିନ୍‌ରେ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହିଥିଲେ । ସ୍ପାଇ ଥ୍ରୀଲର ଫିଲ୍ମ ଧାକଡର ସୁଟିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହା ଅକେଫାବରରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି । ଏଥିରେ କଙ୍ଗନା ଏଜେଣ୍ଟ ଅଗ୍ନି ଭୂମିକାରେ ନଜର ଆସିବେ । କଙ୍ଗନାଙ୍କ ବ୍ୟତୀତ ଏଥିରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.