ବର୍ଲିନରେ ହେବ ନବେଲନିଙ୍କ ଚିକିତ୍ସା

ରୁଷ୍‌ର ବିରୋଧୀଦଳ ନେତା ଏଲେକ୍ସି ନବେଲନିଙ୍କୁ ବର୍ଲିନ ନେଇଆସି ଚିକିତ୍ସା କରାଇବା ପାଇଁ ଜର୍ମାନୀରୁ ଏକ ବିମାନ ସାଇବେରିଆ ଅଭିମୁଖେ ଶୁକ୍ରବାର ଯାତ୍ରା କରିଛି । ଗୁରୁବାର ଏହି ପୁତିନ-ବିରୋଧୀ ନେତାଙ୍କୁ ଏୟାର୍‌ପୋର୍ଟର କାଫେରେ ଚା’ସହିତ ବିଷ ଦିଆଯାଇଥିଲା । ବିମାନ ଯାତ୍ରା ମଧ୍ୟରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିବାରୁ ବିମାନକୁ ଓମସ୍କରେ ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା । ବେହୋସ ଅବସ୍ଥାରେ ତାଙ୍କୁ ସାଇବେରିଆର ଏକ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏବେ ସେ କୋମାରେ । ୪୪ ବର୍ଷୀୟ ନବେଲନି ରାଷ୍ଟ୍ରପତି ପୁତିନଙ୍କ କଠୋର ସମାଲୋଚକ ଭାବେ ଜଣାଶୁଣା । ଜୁନ୍‌ରେ ସମ୍ବିଧାନ ସଂଶୋଧନ ସମ୍ବନ୍ଧୀୟ ଭୋଟିଂକୁ ସେ ଅସାମ୍ବିଧାନିକ ଆଖ୍ୟା ଦେଇଥିଲେ । ଜନମତ ସଂଗ୍ରହରେ ବିଜୟ ହାସଲ ପରେ ପୁତିନ ଆଉ ଦୁଇ ଥର ରାଷ୍ଟ୍ରପତି ହୋଇପାରିବେ ବୋଲି ସମ୍ବିଧାନ ସଂଶୋଧନରେ ଉଲ୍ଲେଖ ଅଛି ।

ଜର୍ମାନୀର ସିନେମା ଫର୍‌ ପିସ୍‌ ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ଆଣିବା ପାଇଁ ଯାଇଥିବା ବିମାନରେ ଚିକିତ୍ସା ବିଶେଷଜ୍ଞ ଜରୁରୀ ମେଡିକାଲ୍‌ ଇକୁ୍ୟପ୍‌ମେଣ୍ଟ ନେଇଛନ୍ତି । ଜର୍ମାନୀ ଚାଲ୍‌ସେଲର ଏଙ୍ଗେଲା ମର୍କେଲ୍‌ କହିଛନ୍ତି, ନବେଲନିଙ୍କ ଚିକିତ୍ସା ବାବଦ ସମସ୍ତ ସହାୟତା ଉପଲବ୍ଧ କରାଇବ ଜର୍ମାନୀ । ରାଷ୍ଟ୍ରପତି ପୁତିନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇ ନାହିଁ ।

Comments are closed.