ବଦଳିଲା ଡିସଚାର୍ଜ ପଲିସି; ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଲା ତିନି ପର୍ଯ୍ୟାୟ ଗାଇଡ୍‌ଲାଇନ

ସାମାନ୍ୟ ଲକ୍ଷଣ ଥିଲେ ୧୦ ଦିନରେ ଡିସଚାର୍ଜ

Edited by Papu Mohanty

ଭୁବନେଶ୍ୱର(ସବୁ୍ୟ): 09/05/:କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଡିସ୍‌ଚାର୍ଜ ପଲିସି । ଏଣିକି ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ୧୦ ଦିନର ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରିବ । ଏପରିକି ସାମାନ୍ୟ ଲକ୍ଷଣ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଡିସଚାର୍ଜ କରିବା ପୂର୍ବରୁ ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି ।
ଦେଶରେ କରୋନା ପଜିଟିଭ୍‌ ସଂଖ୍ୟା ପ୍ରାୟ ୬୦ ହଜାର ଟପିିଥିବା ବେଳେ ହସ୍ପିଟାଲର ବୋଝ କମାଇବାକୁ ପଦକ୍ଷେପ ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କିପରି କୋଭିଡ୍‌ ହସ୍ପିଟାଲକୁ ପରିଚାଳନା କରାଯିବ । ଏନେଇ ପରିବର୍ତ୍ତିତ ଡିସଚାର୍ଜ ପଲିସି ଜାରି କରାଯାଇଛି । ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଥିଲେ ଡିସଚାର୍ଜ କରିବା ପୂର୍ବରୁ କରୋନା ପରୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ନୂଆ ପଲିସୀରେ ଉଲ୍ଲେଖ ରହିଛି । ପୂର୍ବରୁ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ନମୁନା ଦୁଇ ଥର କୋଭିଡ-୧୯ ନେଗେଟିଭ୍‌ ନଆସିଲେ ସେମାନଙ୍କୁ ହସପିଟାଲରୁ ଡିସcାର୍ଜ କରାଯାଉନଥିଲା ।
ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିଲେ ୧୦ ଦିନ ପରେ କରୋନା ଆକ୍ରାନ୍ତଙ୍କୁ ଡିସଚାର୍ଜ କରିପାରିବେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ । ତେବେ ୩ ଦିନ ଧରି ଜ୍ୱର ହୋଇନଥିବା ଆବଶ୍ୟକ । ଡିସଚାର୍ଜ ପୂର୍ବରୁ କରୋନା ନମୂନା ପରୀକ୍ଷା ହେବା ଜରୁରୀ ନୁହେଁ । ଡିସଚାର୍ଜ ପରେ ଆଉ ୭ ଦିନ ଘରେ ଆଇସୋଲୋସେନ ରହିବାକୁ ବାଧ୍ୟତାମୂଳକ । ଲକ୍ଷଣ ପୁଣି ଥରେ ଦେଖାଦେଲେ କୋଭିଡ୍‌ କେୟାର ସେଣ୍ଟର କିମ୍ବା ହେଲପଲାଇନ୍‌ ନମ୍ବରକୁ ଜଣାଇବେ । ସେହିପରି ଆକ୍ରାନ୍ତଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ରହିଥିଲେ, ତିନି ଦିନ ଭିତରେ ଜ୍ୱର ଭଲ ହୋଇଗଲେ, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନଥିଲେ ଏବଂ ଅକ୍ସିଜେନ୍‌ ଆବଶ୍ୟକତା ହେଉନଥିଲେ, ଆକ୍ରାନ୍ତଙ୍କୁ ୧୦ ଦିନ ମଧ୍ୟରେ ଡିସଚାର୍ଜ କରା ଯାଇପାରିବ । ଡିସଚାର୍ଜ ପୂର୍ବରୁ କରୋନା ପରୀକ୍ଷା ହେବା ଜରୁରୀ ନୁହେଁ । ଯଦି ଆକ୍ରାନ୍ତଙ୍କ ଶରୀରରେ ଲକ୍ଷଣ ଦୂର ହେଉନାହିଁ ଏବଂ ଅକ୍ସିଜେନ୍‌ ଥେରାପୀ ଜାରି ରହିଛି । ତେବେ ଲକ୍ଷଣ ଥିବା ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରାଯିବ । ତିନି ଦିନ ପର୍ଯ୍ୟନ୍ତ ଅକ୍ସିଜେନ୍‌ ଥେରାପୀ ବିନା ଶରୀରରେ ଅମ୍ଲଜାନ ମାତ୍ରା ସ୍ୱାଭାବିକ ରହିବା ପରେ ଡିସଚାର୍ଜ କରାଯାଇପାରିବ । ତେବେ ସେ ସଂପୂର୍ଣ୍ଣ ଭାବେ ଆରୋଗ୍ୟ ହେବା ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ । ରୋଗୀ ଲକ୍ଷଣ ମୁକ୍ତ ହେବା ପରେ ତାଙ୍କର କରୋନା ପରୀକ୍ଷା କରାଯିବ, ରିପୋର୍ଟ ନେଗେଟିଭ୍‌ ଆସିଲେ ଘରକୁ ଫେରିପାରିବେ । ଏଭଳି କ୍ଷେତ୍ରରେ ମଧ୍ୟ ଗୋଟିଏ ଥର ନମୂନା ପରୀକ୍ଷା କରାଯିବ । କରୋନା ପରୀକ୍ଷାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି ।

Comments are closed.