ବଦଳିଲା କ୍ୱାରେଣ୍ଟିନ୍‌ ନିୟମ; ଏଣିକି କ୍ୱାରେଣ୍ଟାଇନ୍‌ ୧୪ ଦିନ

Edited by Papu Mohanty

ଭୁବନେଶ୍ୱର: ମେ ୨୪: ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରେଣ୍ଟିନ୍‌ ନିୟମ ପରିବର୍ତ୍ତନ କରିଛନ୍ତି ରାଜ୍ୟସରକାର । ଏହି ନିୟମ ଅନୁସାରେ ଏଣିକି ରାଜ୍ୟକୁ ଫେରୁଥିବା ଓଡ଼ିଆମାନେ ୨୧ ଦିନ ପରିବର୍ତ୍ତେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବେ । ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳମାନେ ଏହାକୁ କାର୍ଯ୍ୟକାରୀ କରିବେ । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସ ଫେରନ୍ତାମାନେ ବାଧ୍ୟତାମୂଳକ ଭାବେ ୭ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ ଏବଂ ଲକ୍ଷଣ ନ ଥିବା ପ୍ରବାସୀ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ । କିନ୍ତୁ, ଯଦି କୌଣସି ପ୍ରବାସୀଙ୍କ ଠାରେ ସଂକ୍ରମଣର ସୂଚନା ମିଳେ ତେବେ ସ୍ଥାନୀୟ ପ୍ରଶାସନ ସେମାନଙ୍କର କ୍ୱାରେଣ୍ଟାଇନ୍‌ ଅବଧି ବୃଦ୍ଧି କରିପାରିବେ । ସହରାଞ୍ଚଳ ପାଇଁ କ୍ୱାରେଣ୍ଟାଇନ୍‌ ନିୟମ ୧୪ଦିନ ରଖାଯାଇଛି । ସେମାନେ ଘରୋଇ କ୍ୱରେଣ୍ଟାଇନରେ ରହିପାରିବେ । ସରକାରୀ କର୍ମଚାରୀ, ପେଶାଦାର, ବ୍ୟବସାୟୀ ଏବଂ ଅନ୍ୟ କୌଣସି ବ୍ୟକ୍ତି ଯଦି ୩ଦିନ ପାଇଁ ଓଡ଼ିଶା ଅସିଲେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ । ସେହିଭଳି, ସରକାରୀ କର୍ମଚାରୀ, ପେଶାଦାର, ବ୍ୟବସାୟୀ ଏବଂ ଅନ୍ୟ କୌଣସି ବ୍ୟକ୍ତି ଓଡ଼ିଶାରୁ ଅନ୍ୟ କୌଣସି ରାଜ୍ୟକୁ ଯାଇ ଯଦି ୭୨ ଘଣ୍ଟା ମଧ୍ୟରେ ଫେରିଆସନ୍ତି, ତେବେ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବନାହିଁ ବୋଲି କୁହାଯାଇଛି ।

Comments are closed.