ଫାଶୀ ଫାଇନାଲ

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଫାଶୀର ଫାଶରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ପାଇବାକୁ ଥିବା ନର୍ଭୟା ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ଜଷ୍ଟିସ୍‌ ଏନଭି ରମନ୍ନା, ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଚ୍ୟାମ୍ବର ମଧ୍ୟରେ ହିଁ କ୍ୟୁରେଟିଭ ପିଟିସନର ବିଚାର କରିଥିଲେ। ଜଷ୍ଟିସ୍‌ ଆର ଭାନୁମତି ଓ ଜଷ୍ଟିସ ଭୂଷଣ ୨୦୧୭ରେ ନିର୍ଭୟା ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ କରିଥିବା ଖଣ୍ଡପୀଠରେ ରହିଥିଲେ। ତେଣୁ ସମସ୍ତେ ମିଳିତ ଭାବେ କ୍ୟୁରେଟିଭ ପିଟିସନର ଖାରଜ କରିଛନ୍ତି।

କ୍ୟୁରେଟିଭ ପିଟିସନ ଖାରଜ ହେବାର ଅର୍ଥ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାରି କରିଥିବା ଡେଥ୍‌ ୱାରେଣ୍ଟ ଅନୁଯାୟୀ, ସମସ୍ତ ୪ ନିର୍ଭୟା ଦୋଷୀଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଖୁଣ୍ଟରେ ଝୁଲାଯିବ।

ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଶର୍ମା ଓ ମୁକେଶ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ହେଲେ ପବନ ଗୁପ୍ତା ଓ ଅକ୍ଷୟ ସିଂହ ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି। ତେବେ ସମସ୍ତ ୪ ଦୋଷୀ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ହେଲେ ଏହାକୁ ବହୁ ପୂର୍ବରୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିବା ପରେ ଦୁଇ ଜଣ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। କ୍ୟୁରେଟିଭ ପିଟିସନ ହେଉଛି ଜଣେ ଦୋଷୀର ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ। ଏହାକୁ ବିଚାରପତି ଚ୍ୟାମ୍ବର ମଧ୍ୟରେ ହିଁ ବିଚାର କରିଥାଆନ୍ତି। ଆଜି ଏହାକୁ ଖାରଜ କରିବା ବେଳେ ସୁପ୍ରିମକୋର୍ଟ ସମସ୍ତଙ୍କୁ ଫାଶୀ ଝୁଲା ଯିବା ଦରକାର ବୋଲି କହିଛନ୍ତି।

ନିର୍ଭୟା ଦୋଷୀ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଉପରେ ସେମାନଙ୍କ ଫାଶୀ ଦଣ୍ଡାଦେଶ ଏବେ ନିର୍ଭରଶୀଳ।

ଏହାପୂର୍ବରୁ ଫାଶୀ ଦଣ୍ଡ ପାଇଥିବା ଅକ୍ଷୟ ସିଂହ ମଧ୍ୟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲା। ହେଲେ ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ସେହିପରି ଗତବର୍ଷ ଜୁଲାଇ ୯ରେ ସୁପ୍ରିମକୋର୍ଟ ଅନ୍ୟ ୩ ଦୋଷୀଙ୍କ ରିଭ୍ୟୁ ପିଟିସନ ଖାରଜ କରି ଫାଶୀଦଣ୍ଡକୁ କାଏମ ରଖିଥିଲେ।

୨୦୧୨ ଡିସେମ୍ବର ୧୬ ତାରିଖ ରାତିରେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀଙ୍କୁ ଜଣେ ନାବାଳକ ସମେତ ୬ ଜଣ ଯୁବକ ଚଳନ୍ତା ବସରେ ଗଣଦୁଷ୍କର୍ମ କରିବା ପରେ ତଳକୁ ଫୋପାଡ଼ି ଦେଇଥିଲେ। ଡିସେମ୍ବର ୨୯ରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଥିଲା। ରାମ ସିଂହ ନାମକ ଜଣେ ଯୁବକ ଜେଲରେ ଆତ୍ମହତ୍ୟା କରିଥିଲା। ସେହିପରି ୩ ବର୍ଷ ପରେ ନାବାଳକ ଜଣଙ୍କୁ ଜେଲରୁ ଖଲାସ କରାଯାଇଛି। ଏବେ ୪ ଜଣ ଯୁବକ ପବନ ଗୁପ୍ତା, ବିନିୟ ଶର୍ମା, ଅକ୍ଷୟ ସିଂହ ଠାକୁର ଓ ମୁକେଶ ସିଂହ ଫାଶୀ ଦଣ୍ଡ ପାଇବାକୁ ଅଛନ୍ତି। ଏମାନେ ସମସ୍ତେ ତିହାର ଜେଲରେ ବନ୍ଦୀ ଭାବେ ରହିଛନ୍ତି।

Comments are closed.