ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ରାଜନେତା ଅର୍ଜୁନ ଚରଣ ସେଠୀଙ୍କ ପରଲୋକ

ଭଦ୍ରକରୁ ୮ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ

ଭଦ୍ରକ,୦୮।୦୬(ଜିପ୍ର):ଭଦ୍ରକ ଜିଲ୍ଳାର ବରିଷ୍ଠ ରାଜନେତା, ପ୍ରାକ୍ତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ଆଜି ରାତି ୮ଟା ୪୫ ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କ 79 ବର୍ଷ ବୟସ ହୋଇଥିଲା । ରବିବାର ରାତି ପ୍ରାୟ ସାଢେ ୧୧ଟା ବେଳେ ଗୁରୁତରଭାବେ ଅସୁସ୍ଥ ହେବାରୁ ତାଙ୍କୁ ସୋମ ହସ୍ପିଟାଲକୁ ନିଆଯାଇଥିଲା । ଚିକିସିାଧୀନ ଥିବା ବେଳେ ବ୍ରେନଷ୍ଟ୍ରୋକ ଯୋଗୁଁ ତାଙ୍କ ପରଲୋକ ଘଟିଛି । ଜଣେ ଭଦ୍ର, ଦକ୍ଷ ଓ ସରଳ ରାଜନେତା ଭାବେ ପରିଚିତ ସ୍ୱର୍ଗତ ସେଠୀ ଓଡିଶା ବିଜେଡି ରାଜନୀତିରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରିଥିଲେ । ୧୮ ସେପଟେମ୍ବର ୧୯୪୧ତାରିଖରେ ଭଦ୍ରକ ଜିଲ୍ଲା ଓଢଙ୍ଗ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୧ ମସିହାରେ ଅର୍ଜୁନ ବାବୁ ନିଜ ରାଜନୈତିକ ଜୀବନ ୫ମ ଲୋକସଭାକୁ ଭଦ୍ରକ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ପରେ ୧୯୮୦ରେ ପୁନର୍ବାର ଭଦ୍ରକ ସଂରକ୍ଷିତ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ୧୯୯୦ରୁ ୯୧ ଭଣ୍ଡାରିପୋଖରୀ ସଂରକ୍ଷିତ ବିଧାନସଭା ଆସନରୁ ବି ସେ ବିଜୟୀ ହୋଇଥିଲେ । ପରେ ୧୯୯୧ରେ ପୁନର୍ବାର ସଂସଦ ଭାବେ ୩ୟ ଥର ପାଇଁ ସାଂସଦଭାବେ ନିର୍ବାଚିତ ହୋଇଥିଲା ବେଳେ ୧୯୯୮ରେ ୪ର୍ଥ ଥର ଓ ୧୯୯୯ରେ ୫ମ ଥର ପାଇଁ ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହିଭଳି ୮ଥର ପାଇଁ ସେ ଭଦ୍ରକ ଲୋକସଭାରୁ ସାଂସଦ ଭାବେ ବିଜୟୀ ହୋଇଥିଲେ । ଶେଷଥର ପାଇଁ ୨୦୧୪ରେ ସାଂସଦଭାବେ ନିର୍ବାଚିତ ହୋଇଥିଲେ । ବହୁ ବଡବଡ ପଦବୀରେ ରହିଥିଲେ ଅର୍ଜୁନ ବାବୁ । ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ସମେତ ପାର୍ଲମେଣ୍ଟର ବହୁ କମିଟିର ଅଧ୍ୟକ୍ଷ ତଥା ସଭ୍ୟ ଥିଲେ । ଏହାବାଦ ୨୦୦୦ରୁ ୨୦୦୪ ଯାଏଁ କେନ୍ଦ୍ର ଜଳସଂସଦ ମନ୍ତ୍ରୀ ଥିଲେ । ଦୀର୍ଘ ବର୍ଷ ଯାଏଁ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ଥିଲେ । ସାଳନ୍ଦୀ ସଂସ୍କାର ଯୋଜନା ଥିଲା ତାଙ୍କ ମନ୍ତ୍ରୀତ୍ୱ ବେଳର ଭଦ୍ରକ ଜିଲ୍ଲାକୁ ବଡ ଅବଦାନ । ତେବେ ଏହି ବରିଷ୍ଠ ରାଜନେତାଙ୍କ ଗତ ଲୋକସଭା ନିର୍ବାଚନରେ ବିଜେଡି ଟିକେଟ ଦେଇନଥିଲା । ଫଳରେ ସେ ଦଳ ତ୍ୟାଗ କରି ବିଜେପିରେ ଯୋଗଦେଇଥିଲେ ଓ ତାଙ୍କ ପୁତ୍ର ଅଭିମନୁ୍ୟ ସେଠୀ ବିଜେପିରୁ ଲଢିଥିଲେ । ତାଙ୍କ ୩ପୁଅ ଓ ୨ଝିଅ ଅଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ଓ ଜିଲ୍ଳା ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଲା । ତାଙ୍କ ମରଶରୀରକୁ ତାଙ୍କ ଗାଁ ଓଢଙ୍ଗକୁ ଅଣାଯାଇ ଶେଷକର୍ମ ସମ୍ପନ୍ନ ହେବ ବୋଲି ଜଣାଯାଇଛି । ଅର୍ଜୁନ ବାବୁଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Comments are closed.