ପ୍ରଧାନମନ୍ତ୍ରୀଙ୍କ ଘୋଷଣା;ନଭେମ୍ବର ଶେଷ ଯାଏଁ ମିଳିବ ମାଗଣା ରାସନ

ଭୁବନେଶ୍ୱର : ଜୁନ ୩୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ଏଣିକି ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଗରୀବ ଲୋକଙ୍କୁ ମିଳିବ ମାଗଣା ରାସନ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୫କେଜି ଚାଉଳ କିମ୍ବା ଅଟା ଓ ୧ କେଜି ଡାଲି ଯୋଗାଇ ଦିଆଯିବ । କରୋନା ବ୍ୟାପିବା ପରଠାରୁ ୩ମାସ ହେଲା ସରକାର ମାଗଣା ରାସନ ଯୋଗାଇ ଆସୁଛନ୍ତି ତେବେ ଏହାର ସମୟସୀମାକୁ ବଢ଼ାଇ ଦିଆଯାଇଛି । ଯାହା ଫଳରେ ଏବେ ନଭେମ୍ବର ଯାଏଁ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ବାବଦରେ ଆଗକୁ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଗତ ତିନି ମାସର ଖର୍ଚ୍ଚ ମିଶାଇଲେ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେ ଅନଲକ୍‌ ୨ରେ ଲୋକେ ସତର୍କ ରହୁନାହାନ୍ତି ବୋଲି କହିଛନ୍ତି ମୋଦି । ତେଣୁ ଆଗକୁ ବର୍ଷା ଦିନ ଥିବାରୁ ଥଣ୍ଡା, ଜ୍ୱର ଓ କାଶ ଅଧିକ ଆକ୍ରାନ୍ତ କରିବାର ଆଶଙ୍କା ଥିବାରୁ ଲୋକେ ସତର୍କତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ କଡାକଡି ଭାବରେ ପାଳନ କରିଥିବା ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅର୍ଥନୀତି ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତେ ମିଳିତ ଭାବରେ ଦେଶର ଅର୍ଥନୀତି ପାଇଁ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Comments are closed.