ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ;ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ କେୟାରକୁ

ପରିଚାଳନା କରିବେ ୱାର୍ଡସ୍ତରୀୟ କମିଟି ପ୍ରତି କମିଟିକୁ ମିଳିବ ୧୦ ହଜାର ଖର୍ଚ୍ଚ କ୍ଷମତା ସହରାଞ୍ଚଳରେ ବସ୍ତିକୁ ଗୁରୁତ୍ୱ ସମଗ୍ର ରାଜ୍ୟରେ ୭୦ ହଜାର ଲୋକ ରହିପାରିବେ

0

ଭୁବନେଶ୍ୱର : ଜୁନ ୧୭:କରୋନା ମୁକାବିଲା କରିବା ଲାଗି ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ବ୍ୟବସ୍ଥା କରାଯାଉଛି । ଏହି କେୟାରରେ ୧୦ରୁ ୨୦ ଜଣ ବ୍ୟକ୍ତିଙ୍କ ପାଇଁ ରହିବା ବ୍ୟବସ୍ଥା ହେବ । ସମଗ୍ର ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକ ରହିପାରିବେ । ଯେଉଁ ବ୍ୟକ୍ତିଙ୍କୁ ଥଣ୍ଡା, ଜ୍ୱର ଓ କାଶ ଭଳି ଲକ୍ଷଣ ଦେଖାଯାଏ ସିଧାସଳଖ ହସ୍ପିଟାଲକୁ ପଠାନଯାଇ ପ୍ରଥମେ କୋଭିଡ କେୟାର ହୋମରେ ରଖାଯିବ । ସେମାନଙ୍କ ଟେଷ୍ଟ ରିର୍ପୋଟ ପଜିଟିଭ ଆସିବା ପରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତିି ଯେ, କୋଭିଡ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବା ପାଇଁ ସହର ଓ ଗାଁରେ ୱାର୍ଡସ୍ତରୀୟ କମିଟି ଗଠନ କରାଯିବ । ଏହି କୋଭିଡ ପରିଚାଳନା କମିଟିରେ ୱର୍ଡସ୍ତରର ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌ ଏବଂ ଏସ୍‌ଏଚ୍‌ଜିର ସଦସ୍ୟ ରହିବେ । ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ଏହି କମିଟିକୁ ସ୍ୱତନ୍ତ୍ର ଭାବେ କ୍ଷମତା ଦିଆଯିବ । ବର୍ତ୍ତମାନର ଗାଁ କଲ୍ୟାଣ ସମିତି କୋଭିଡ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ । ପ୍ରତି କମିଟିର ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ରହିବ । କୋଭିଡ କେୟାର ହୋମ୍‌ ଓ ଟିଏମ୍‌ସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ନିକଟରେ ରହିବ । ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ । ସେହିପରି ସହରାଞ୍ଚଳରେ ୱାର୍ଡ ଅଫିସରଙ୍କ ଦ୍ୱାରା ଏହି କମିଟି ପଚିଚାଳିତ ହେବ । ଏଥିରେ ସ୍ଥାନୀୟଲୋକ ଓ ସେ୍ୱଚ୍ଛାସେବୀ ସଦସ୍ୟ ରହିବେ । ସେମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବେ । ସହରାଞ୍ଚଳର ବସ୍ତି ଉପରେ କମିଟି ଅଧିକ ଫୋକସ୍‌ ଦେବା ସହ ବଡ଼ବଡ଼ ବସ୍ତିରେ କୋଭିଡ କେୟାର ହୋମ୍‌ ମଧ୍ୟ ସ୍ଥାପନ କରାଯିବ । କରୋନା ଲଢ଼େଇରେ ପ୍ରତିଟି ଲୋକ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ଏ ଯୁଦ୍ଧର ସଫଳତା ପାଇଁ ଆପଣମାନଙ୍କ ସକ୍ରିୟ ସହଯୋଗ ଆବଶ୍ୟକ । ଏପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାକୁ ଆମକୁ ଆହୁରି ଆଗକୁ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.