ପୂର୍ବତନ ପୋଲିସ ଡିଜି ଏସ୍‌ଏନ୍‌ ତିୱାରୀଙ୍କ ପରଲୋକ

ଭୁବନେଶ୍ୱର : ଅଗଷ୍ଟ ୫: ପୂର୍ବତନ ପୋଲିସ ଡିଜି ଶ୍ୟାମ ନାରାୟଣ ତିୱାରୀଙ୍କ ପରଲୋକ ଘଟିଛି । ୮୧ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀ ତିୱାରୀ ୧୯୬୩ ମସିହାରେ ଆଇପିଏସ ଅଧିକାରୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଚାକିରୀକାଳ ମଧ୍ୟରେ ରାଜ୍ୟ ପୁଲିସ ଓ କେନ୍ଦ୍ରିୟ ସୁରକ୍ଷା ସଂସ୍ଥାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାସ୍‌ କରି ସେ ୧୯୬୩ରେ ଆଇପିଏସରେ ଯୋଗ ଦେଇଥିଲେ ଶ୍ରୀ ତିୱାରୀ । ଏହାପରେ ସେ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାରେ ବିଭିନ୍ନ ଗୁରୁିବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ । ଶ୍ରୀ ତିୱାରୀ ଓଡ଼ିଶାର ପୋଲିସ ବାହିନୀର ପ୍ରାୟ ସମସ୍ତ ବିଭାଗ ତଥା କେନ୍ଦ୍ରୀୟ ପୁଲିସ ସଂଗଠନରେ ମଧ୍ୟ ନେତୃତ୍ୱ ନେଇଛନ୍ତି । ଏସ୍‌ ଏନ୍‌ ତିୱାରୀ ଡିଆଇଜି ସେଣ୍ଟ୍ରାଲ୍‌ ରେଞ୍ଜ, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୁଲିସ ପଦରେ ସଫଳତା ସହ କାର୍ଯ୍ୟ କରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ସଚିବ, ଭାବରେ ମଧ୍ୟ କାମ କରିଛନ୍ତି । ତିୱାରୀ ଓଡ଼ିଶାର ପ୍ରଥମ ଏବଂ ଏକମାତ୍ର ପୁଲିସ ଅଧିକାରୀ ଯିଏକି ଏସପିଜିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ନକ୍ସଲ ନିରୋଧି ଅପରେସନ୍‌ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଖୁବ୍‌ ପ୍ରଶଂସନୀୟ ଥିଲା । ସ୍ୱଗତଃ ତିୱାରୀଙ୍କ ବିୟୋଗରେ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଅଭୟ ଶୋକ ପ୍ରକାଶ କରିଛନ୍ତି ।

Comments are closed.