ପୁର ପଲ୍ଲିରେ ପାଳିତ ହେଲା ରାକ୍ଷୀ ପୂର୍ଣ୍ଣମୀ ପର୍ବ

ପୁରୀ:ଅଗଷ୍ଟ ୪:(ସବ୍ୟୁ): ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ଦର ପର୍ବ ରାକ୍ଷୀ ପୂର୍ଣ୍ଣମୀ ଶ୍ରୀକ୍ଷେତ୍ର ସମେତ ସମଗ୍ର ପୁରୀ ଜିଲ୍ଲାର ପୁରପଲ୍ଲିରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀମନ୍ଦିର ସମେତ ବିଭିନ୍ନ ମନ୍ଦିର, ମଠ ଓ ଘରେ ପୂଜା ପାଉଥିବା ଠାକୁରମାନଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସଙ୍ଗେ ସଙ୍ଗେ ରାକ୍ଷୀ ଲାଗି କରାଯାଇଥିଲା । ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଭାଇମାନଙ୍କ ହାତରେ ଭଉଣୀମାନେ ସେମାନଙ୍କ ସ୍ନେହ ଓ ମମତାର ପ୍ରତୀକ ରାକ୍ଷୀ ବାନ୍ଧିଥିଲେ । ଥାଳିରେ ସିନ୍ଦୁର, ଚନ୍ଦନ, ଫୁଲ, ମିଠା ଓ ରାକ୍ଷୀ ରଖି ଭଉଣୀମାନେ ଭାଇମାନଙ୍କୁ ବନ୍ଦାପନା କରିଥିଲେ । ଭାଇର କପାଳରେ ଭଉଣୀମାନେ ଲଗାଇ ଦେଇଥିଲେ ଚନ୍ଦନ ଓ ସିନ୍ଦୂରର ଚିତା । ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ । କୁନି କୁନି ଶିଶୁମାନଙ୍କ ଠାରୁ ଆରମ୍ଭ କରି ବିବାହିତାଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଇମାନଙ୍କୁ ରାକ୍ଷୀ ପିନ୍ଧାଇ ସୁରକ୍ଷାର ପ୍ରତିଶ୍ରୁତି କାମନା କରିଥିଲେ । ଭଉଣୀଙ୍କୁ ଭାଇମାନେ ଦେଇଥିଲେ ଜୀବନସାରା ସୁରକ୍ଷାର ପ୍ରତିଶ୍ରୁତି । ସେହିପରି ବ୍ରାହ୍ମଣମାନେ ମନ୍ତ୍ର ଉଚ୍ଚାରଣ କରି ଯଜମାନମାନଙ୍କୁ ରାକ୍ଷୀ ପିନ୍ଧାଇଥିଲେ । ଗହ୍ମା ପୂର୍ଣ୍ଣମୀ ଉପଲକ୍ଷେ ଗୋମାତାମାନଙ୍କୁ ପୂଜା କରାଯାଇଥିଲା । ସକାଳୁ ସକାଳୁ ସେମାନଙ୍କୁ ଗାଧୋଇ ଦିଆଯାଇ ହଳଦୀ ପାଣିରେ ଖୁରା ଧୁଆ ଯାଇଥିଲା । ଗୃହସ୍ଥ ଓ ଗୃହିଣୀମାନେ ସେମାନଙ୍କ ଶିଙ୍ଗ ଓ ବେକରେ ରାକ୍ଷୀ ବାନ୍ଧିବା ସହ ପିଠା ଖୁଆଇଥିଲେ । ଦୋକାନୀମାନେ ରାକ୍ଷୀ ପୂର୍ଣ୍ଣମୀ ଉପଲକ୍ଷେ ସ୍ୱତନ୍ତ୍ର ମିଠା ପ୍ରସ୍ତୁତ କରିଥିଲେ ।

Comments are closed.