ପୁଣି ଇରାନର ରକେଟ ମାଡ

ଭୁବନେଶ୍ୱର : ଆମେରିକା ଇରାନ୍ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଇରାନ ପୁଣି ଆମେରିକାକୁ ଟାର୍ଗେଟ କରି ଆମେରିକା ମିଶନ ସମେତ ଏକାଧିକ ରାଷ୍ଟ୍ରର ଦୂତାବାସ ଥିବା ଇରାକର ଏକ ଗ୍ରୀନ ଜୋନ୍ରେ ବୁଧବାର ବିଳମ୍ବିତ ରାତ୍ରିରେ ଦୁଇଟି ରକେଟ୍ ମାଡ଼ କରିଛି । ଇରାକ୍ର ସୁରକ୍ଷା ଏଜେନ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କୋଣସି କ୍ଷୟକ୍ଷତି ସମ୍ବନ୍ଧିତ ରିପୋର୍ଟ ମିଳିନାହିଁ । ଏହା ପୂର୍ବରୁ ମଙ୍ଗଳବାର ରାତିରେ ମଧ୍ୟ ଇରାକରେ ଥିବା ଆମେରିକୀୟ ଏୟାରବେସ୍ ଉପରେ ଇରାନ ପକ୍ଷରୁ ୨୨ଟି ମିସାଇଲ ମାଡ଼ କରାଯାଇଥିଲା । ଇରାନ୍ର ଏକ ଟିଭି ଚ୍ୟାନେଲ ତରଫରୁ ସେହି ଆକ୍ରମଣରେ ୨୦ ଜଣ ଆମେରିକୀୟ ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଇଥିଲା । କିନ୍ତୁ ଟ୍ରମ୍ପ ଏହାକୁ ଖଣ୍ଡନ କରି କହିଥିଲେ କେବଳ ଏୟାରବେସ୍ କିଛି ଅଂଶ କ୍ଷତି ହେବା ବ୍ୟତୀତ କୋ÷ଣସି ଆମେରିକୀୟ ମୃତାହତ ହୋଇନାହାନ୍ତି । ଇରାନ ଉପରେ ଅଧିକ ଆର୍ଥିକ କଟକଣା ଲଗାଇବାକୁ ଟ୍ରମ୍ପ ଧମକ ଦେଇଥିବା ବେଳେ କୋ÷ଣସି ବଡ଼ହମଲା କିମ୍ବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇନାହାନ୍ତି ।
ଜାନୁୟାରୀ ୩ରେ ଆମେରିକା ପକ୍ଷରୁ ଇରାକର ବାଗଦାଦ୍ରେ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଏଥିରେ ରେଭ୍ୟୁଲେସନାରୀ ଗାର୍ଡର ମେଜର ଜେନେରାଲ୍ କସିମ୍ ସୁଲେମାନିଙ୍କ ସମେତ ୮ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ସୁଲେମାନୀଙ୍କ ହତ୍ୟାର ବଦ୍ଲା ନେବାକୁ ଯାଇ ଆମେରିକାକୁ ଟାର୍ଗେଟ କରି ଏଭଳି ରକେଟ ମାଡ କରି ଇରାନ ପ୍ରତିଶୋଧ ନେଉଛି ।

Comments are closed.