ପାରାଅଲମ୍ପିକ୍ସ: ସୁଟିଂରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ଅବନୀ

0

ଦିଲ୍ଲୀ: ଅଗଷ୍ଟ ୩୦: ଟୋକିଓରେ ଚାଲୁଥିବା ପାରାଅଲମ୍ପିକ୍ସରେ ଅବନୀ ଲେଖରା ସୁଟିଂରେ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ଏହାସହ ସେ ଭାରତ ପାରାଅଲମ୍ପିକ୍ସ ସୁଟିଂ ଖେଳରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଆଜି ସକାଳ ୭.୩୦ରେ ହୋଇଥିବା ମହିଳା ସୁଟିଂର ଫାଇନାଲରେ ୧୯ ବର୍ଷୀୟା ଅବନୀ ୧୦ ମିଟର ଏୟାର୍‌ ରାଇଫଲ୍‌ର କ୍ଲାସ୍‌ ଏସ୍‌ଏଚ୍‌-୧ରେ ୨୪୯.୬ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଚୀନ୍‌ ଖେଳାଳୀ ସି.ପି ଝାଙ୍ଗ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ଓ ୟୁକ୍ରେନ୍‌ ଖେଳାଳୀ ଇରୟନା ସୁ୍ୟତ୍‌ନିକ୍‌ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୧୯ରେ ହୋଇଥିବା ଏକ ଇଣ୍ଟରଭୁ୍ୟରେ ସେ ଭାରତ ପାଇଁ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏବେ ନିଜ ଆଶାକୁ ସାକାର କରି ଅବନୀ ଭାରତର ଗୌରବ ବଢ଼ାେଇଛନ୍ତି ।
୨୦୦୧ରେ ରାଜସ୍ଥାନ ଜୟପୁରରେ ଜନ୍ମଗ୍ରହଣ କରିଥିବା ଅବନୀଙ୍କର ୨୦୧୨ରେ ଏକ କାର୍‌ ଦୁର୍ଘଟଣା ହୋଇଥିଲା । ଏଥିରେ ତାଙ୍କ ମେରୁଦଣ୍ଡ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ସେ ଠିଆ ହୋଇପାରିନଥିଲେ । ଏହାପରେ ସେ ପାଠ ପଢ଼ା ପ୍ରତି ଧ୍ୟାନ ଦେଇଥିଲେ । ମାତ୍ର ତାଙ୍କ ପିତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସେ ୨୦୧୫ରେ ସୁଟିଂ ଓ ତୀରନ୍ଦାଜ ଖେଳ ପାଇଁ ତାଲିମ ନେଇଥିଲେ । ଏହି ଦୁଇଟି ଖେଳରୁ ସେ ସୁଟିଂକୁ ବାଛିଥିଲେ । ଭାରତ ସୁଟିଂ ଷ୍ଟାର ଅଭିନବ ବିନ୍ଦ୍ରାଙ୍କ ଜିବନୀ ‘ଦ ସଟ୍‌ ଆଟ୍‌ ହିଷ୍ଟ୍ରି’ ପଢ଼ିବା ପରେ ସେ ସୁଟିଂକୁ ନିଜ ଜିବନର ମୂଳ ଉଦ୍ଦେଶ୍ୟ ରୂପେ ବାଛିନେଥିଲେ । ସ୍ୱର୍ଣ୍ଣ ପଦକ ହାସଲ କାରିବା ପରେ ଅଭିନବ ବିନ୍ଦ୍ରା ଟୁଇଟର ମାଧ୍ୟମରେ ଅବନୀଙ୍କୁ ଶୁଭେଚ୍ଛା ଜଣାଛନ୍ତି ।

Leave A Reply

Your email address will not be published.