ପାକିସ୍ତାନୀ ବୋହୂ ହେଲେ ରାଜସ୍ଥାନରେ ସରପଞ୍ଚ

ରାଜସ୍ଥାନ : ରାଜସ୍ଥାନରେ  ପ୍ରଥମ ଥର ଜଣେ ପାକିସ୍ତାନର ମୂଳ ବାସିନ୍ଦା ପାକିସ୍ତାନୀ ହିନ୍ଦୁ ମହିଳା ସରପଞ୍ଚ ହୋଇଛନ୍ତି ।ଶୁକ୍ରବାର ଦିନ ପ୍ରଥମ ଚରଣରେ ରାଜସ୍ଥାନର 2726 ଗାଁରେ ନିର୍ବାଚନ ହୋଇଥିଲା । ପାକିସ୍ତାନ ସିନ୍ଧରୁ ଆସିଥିବା ନୀତା ସୋଧା (36 ବର୍ଷ) ରାଜସ୍ଥାନର ନଟୱାରାରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । 17,000 ଆଶାୟୀ ନିର୍ବାଚନୀ ମୈଦାନରେ ଫାଇଟ୍‌ କରୁଥିଲେ । କିନ୍ତୁ ସମସ୍ତଙ୍କ ନଜର ନୀତାଙ୍କ ଉପରେ ଥିଲା । ଟୋଙ୍କ ଜିଲ୍ଲା ନଟୱାରା ଗ୍ରାମପଞ୍ଚାୟତରେ ମୋଟ 2494 ଭୋଟରୁ 1,073 ଭୋଟ ସହ ବିଜୟ ହାସଲ କରିଛନ୍ତି ନୀତା । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସୋନା ଦେବୀଙ୍କୁ 362 ଭୋଟରେ ହରାଇଛନ୍ତି । ସବୁଠୁ ରୋଚକ କଥା ହେଲା, ଟୋଙ୍କ ଜିଲ୍ଲା ନଟୱାରା ଗ୍ରାମପଞ୍ଚାୟତରେ ଏହି ପଦ ପାଇଁ ମୋଟ 7 ମହିଳା ନିର୍ବଚନ ଲଢ଼ୁଥିଲେ ।

ନୀତା ପାକିସ୍ତାନର ସିନ୍ଧ ପ୍ରାନ୍ତର ବାସିନ୍ଦା  । ତାଙ୍କୁ 5 ମାସ ହେଲା ଭାରତର ନାଗରିକତା ମିଳିଛି । ଜିତିବା ପରେ ନୀତା କହିଥିଲେ, ‘ ମୁଁ ସବୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଉଛି । ମୋତେ ସପୋର୍ଟ କରି ମୋତେ ଆପଣମାନେ ଜିତାଇଛନ୍ତି । ମୁଁ ନିଷ୍ଠାର ସହିତ ମୋର କର୍ତ୍ତବ୍ୟ ନିର୍ବାହ କରିବି ଏବଂ ପଞ୍ଚାୟତର ଉନ୍ନତି ପାଇଁ ପ୍ରୟାସ ଜାରି ରଖିବି ।’

ଟୋଙ୍କ ଜିଲ୍ଲାର ଏକ ରାଜପୂତ ଘରର ବୋହୂ ହେଉଛନ୍ତି ନୀତା ।  2011 ମସିହାରେ ନୀତାଙ୍କ ବିବାହ ପୁଣ୍ୟ ପ୍ରତାପ କରଣଙ୍କ ସହ ହୋଇଥିଲା । ସୂଚନା ଯୋଗ୍ୟ ଯେ,  ଭାରତ ଆସିବାର 18 ବର୍ଷ ପରେ ପୂର୍ବ ବର୍ଷ ସେପ୍ଟେମ୍ବର ମାସରେ ତାଙ୍କୁ ନାଗରିକତା ମିଳିଛି ।  2001 ମସିହାରେ ନୀତା ନିଜର ବଡ଼ ଭଉଣୀ ଅଞ୍ଜନା ସୋଧାଙ୍କ ସହ ପାକିସ୍ତାନର ସିନ୍ଧରୁ ମିରପୁର-ଖାସ ଦେଇ ରାଜସ୍ଥାନର ଜୋଧପୁରରେ ପହଞ୍ଚିଥିଲେ । ସେ ଜାନୁଆରୀ 17 ତାରିଖରେ ନାମାଙ୍କନ ଦାଖଲ କରିଥିଲେ । ସିଏଏ ଦ୍ୱାରା ଭାରତରେ ଉତ୍ତମ ଜୀବନ ଯାପନ କରିବାକୁ ଏବଂ ଉତ୍ତମ ଶିକ୍ଷା ହାସଲ କରିବାକୁ ସୁଯୋଗ ମିଳିବ ବୋଲି ନୀତା କହିଛନ୍ତି ।

Comments are closed.