ପରଲୋକରେ ଦାଦିସା

ଭୁବନେଶ୍ୱର: ଜୁଲାଇ ୧୬: ଜାତୀୟ ପୁରସ୍କାର ପ୍ରାପ୍ତ ବଲିଉଡ୍‌ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ଦେହାନ୍ତ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଶୁକ୍ରବାର ତାଙ୍କର ହୃଦଘାତ ଯୋଗୁଁ ପରଲୋକ ଘଟିଥିବା ଜଣାପଡ଼ିଛି । ଗତ ବର୍ଷ ୨୦୨୦ରେ ସୁରେଖା ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ । ଏହାପରେ ସେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସୁରେଖାଙ୍କ ଏଜେଣ୍ଟ ତାଙ୍କ ଦେହାନ୍ତ ଖବର ମିଡିଆକୁ ପ୍ରକାଶ କରିଛନ୍ତି । ଥିଏଟର, ସିନେମା ଏବଂ ଛୋଟ ପରଦାରେ ତାଙ୍କର ନିଖୁଣ ଅଭିନୟକୁ ସମସ୍ତେ ପସନ୍ଦ କରିଥାନ୍ତି । ବଳିଷ୍ଠ ଅଭିନୟ ପାଇଁ ସେ ତାଙ୍କ ଜୀବନରେ ୩ ଥର ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହା ବ୍ୟତୀତ ତାଙ୍କର ଲୋକପ୍ରିୟ ସିରିଏଲ ବାଳିକା ବଧୁରେ ଦାଦି ସା ଚରିତ୍ର ପାଇଁ ସେ ଘରେ ଘରେ ପରିଚିତ । ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ଏହି ସୋରେ ସୁରେଖା ଅଭିନୟ କରିଥିଲେ । ଏହାପରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବଧାଇ ହୋରେ ତାଙ୍କର ଚରିତ୍ରକୁ ସମସ୍ତେ ପସନ୍ଦ କରିଥିଲେ । ଏହି ଫିଲ୍ମରେ ସେ ଆୟୁଷ୍ମାନଙ୍କ ଜେଜେମା ଭୂମିକାରେ ନଜର ଆସିଥିଲେ । ୧୯୭୮ ମସିହାରେ ପଲିଟିକାଲ ଡ୍ରାମା ଫିଲ୍ମ କିସ୍ସା କୁର୍ସି କାରୁ ସୁରେଖା ବଲିଉଡ୍‌ ଡେବୁ୍ୟ କରିଥିଲେ । ଏହାପରେ ସେ ଅନେକ ଫିଲ୍ମରେ କାମ କରି ପ୍ରଶଂସନୀୟ ହୋଇପାରିଛନ୍ତି । କେବଳ ସେତିକି ନୁହେଁ ସହ କଳାକାର ଭାବେ ସେ ୩ ଥର ନାସନାଲ ଆୱାର୍ଡ ପାଇଛନ୍ତି । ଏହାସହ ୧୯୮୯ରେ ସଙ୍ଗୀତ ଏକାଡେମୀ ଆୱାର୍ଡ ମଧ୍ୟ ପାଇଛନ୍ତି । ୨୦୨୦ରେ ଯେତେବେଳେ ସୁରେଖା ବ୍ରେନ୍‌ ଷ୍ଟ୍ରୋକ୍‌ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେତେବେଳେ ଲଗାତାର ଖବର ଆସିଥିଲା ଯେ ଆର୍ଥିକ ଅଭାବରେ ଗତି କରୁଛନ୍ତି । ହେଲେ ତାଙ୍କର ମ୍ୟାନେଜର ଏହି ଖବରକୁ ଖଣ୍ଡନ କରିଥିଲେ । ସୁରେଖା ୧୯୪୫ ଏପ୍ରିଲ ୧୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ଜଣେ ସାମ୍ବାଦିକ ହେବାକୁ ଚାହୁଁଥିଲେ ବୋଲି ଏକ ଇଣ୍ଟରଭୁ୍ୟରେ ସୁରେଖା କହିଥିଲେ । ହେଲେ ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ଦ କିଙ୍ଗ୍‌ ଲିୟର ନାଟକ ଦ୍ୱାରା ଅନୁପ୍ରେରିତ ହୋଇଥିଲେ । ଏହାପରେ ସେ ନାସନାଲ ସ୍କୁଲ୍‌ ଅଫ୍‌ ଡ୍ରାମାରେ ଭର୍ତ୍ତି ହେବା ପାଇଁ ମନସ୍ଥ କରିଥିଲେ । ତାଙ୍କର ଅଭିନୀତ ଫିଲ୍ମଗୁଡ଼ିକ ହେଲା ସଲୀମ ଲଙ୍ଗଡେ ପେ ମତ ରୋ, ନସୀମ, ସରଦାରି ବେଗମ୍‌, ସରଫରୋଶ, ଦିଲ୍ଲଗୀ, ରେନ୍‌ କୋଟ୍‌, ହମ୍‌କୋ ଦିୱାମା କର ଗଏ ଏବଂ ଦେବ ଡି । ଶେଷ ଥର ପାଇଁ ୨୦୨୦ରେ ସୁରେଖା ଜୋୟା ଅଖତରଙ୍କ ଫିଲ୍ମ ଘୋଷ୍ଟ ଷ୍ଟୋରିଜ୍‌ରେ ନଜର ଆସିଥିଲେ ।

Comments are closed.