ପଡିଲା ହାତଗଣ୍ଠି

କ୍ୟାମେରା ସାମ୍ନାରେ ବହୁ ଥର ମିଛି ମିଛିକା ବର ସାଜିଥିବା ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଗତକାଲି ସତସତିକା ବର ସାଜିଥିଲେ। ଆଉ ତାଙ୍କ କନିଆ ସାଜିଥିଲେ ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ଗତକାଲି ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ହାତରେ ମେହେନ୍ଦୀ, ମୁଣ୍ଡରେ ଗଜରା ଲଗାଇ କନିଆ ବେଶରେ ଖୁବ୍‌ ସୁନ୍ଦର ଲାଗୁଥିଲେ ପଲ୍ଲବୀ। ଆଉ ନାଚଗୀତ, ବାଜା ରୋଷଣୀରେ ବରଯାତ୍ରୀଙ୍କ ସହ ଧୂମଧାମରେ ଆସି ପହଞ୍ଚିଥିଲେ ଅର୍ଦ୍ଧେନ୍ଦୁ। ଏହାପରେ ବେଦୀରେ ମନ୍ତ୍ରପାଠ ଉଚ୍ଚାରଣ, ହୁଳୁହୁଳି, ଶଙ୍ଖ ଧ୍ୱନି ମଧ୍ୟରେ ପରସ୍ପରକୁ ସାତ ଜନ୍ମ ଲାଗି ଜୀବନସାଥୀ କରିନେଲେ ଏହି ଯୋଡ଼ି।ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡରେ ବେଶ୍‌ ଧୂମ୍‌ଧାମରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ଏହି ହାଇ- ପ୍ରୋଫାଇଲ ବାହାଘର। ଏହି ବିବାହ ଉତ୍ସବରେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟଙ୍କ ସମେତ ବହୁ ସଚିବ ମଧ୍ୟ ଯୋଗ ଦେଇଥିଲେ। ସେହିଭଳି ରାଜନୀତି, ବ୍ୟବସାୟ, ଅଭିନୟ ଓ ଅନ୍ୟାନ୍ୟ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ବଡ଼ ଘର ବାହାଘରରେ ଦେଖିବାକୁ ମିଳିଥିଲା।ଆସନ୍ତାକାଲି ନୟାପଲ୍ଲୀ ଇଡ୍‌କଲ୍‌ ଗ୍ରାଉଣ୍ଡରେ ରିସେପ୍‌ସନ୍‌ ପାର୍ଟି ଆୟୋଜିତ ହେବ। ପଲ୍ଲବୀ ପେସାରେ ଜଣେ ଡାକ୍ତର। ଆଉ ଅର୍ଦ୍ଧେନ୍ଦୁ ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଗତ ଜାନୁଆରୀ ମାସରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।

Comments are closed.