ନୟାଗଡ଼ ସଂଗରୋଧ କେନ୍ଦ୍ରର ଜଣେ ଅନ୍ତେବାସୀଙ୍କର ମୃତ୍ୟୁ

Reported by Nishikanta Rath/Edited by Papu Mohanty

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କୋଭିଡ-୧୯ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇ ଥିବାବେଳେ ବିଶେଷ କରି ବାହାର ରାଜ୍ୟ ଫେରନ୍ତାଙ୍କ ଠାରେ କରୋନା ମହାମାରି ଭୂତାଣୁ ଚିହ୍ନଟ ହୋଉଛି । ଇତିମଧ୍ୟରେ ଜିଲ୍ଲାର ୧୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇ ସାରିଛନ୍ତି । ସେତିକି ବେଳେ ବାହାଡ଼ାଝୋଲା ସଙ୍ଗରୋଧ କେନ୍ଦ୍ରର ଜଣେ ଅନ୍ତେବାସୀ ଭଜକୃଷ୍ଣ ବେହେରା (୩୨)ଙ୍କର ମୃତୁ୍ୟକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶାସନ ଏହାକୁ ସ୍ୱାଭାବିକ ମୃତୁ୍ୟ କହି ଶବ ବ୍ୟବଚ୍ଛେଦ ନ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବାକୁ ଉଦ୍ୟମ ବେଳେ ପରିବାର ଲୋକେ ଶବ ଫେରାଇ ଦେଇଛନ୍ତି । କୋଭିଡ-୧୯, ନିୟମ ଅନୁଯାୟୀ ମୃତ ଶରୀର ବିନଷ୍ଠ ପ୍ରଶାସନ କରିବା କଥା ବୋଲି ଜିଲ୍ଲାପାଳ ପୋମା ଟୁଡ଼ୁ ପ୍ରକାଶ କରିଛନ୍ତି ।
ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀ ଭଜକୃଷ୍ଣ ବେହେରାଙ୍କ ମୃତୁ୍ୟକୁ ନେଇ ପରିବାର ଲେକେ ଆଶଙ୍କା ମଧ୍ୟରେ ରହିଛନ୍ତି । ଭଜକୃଷ୍ଣ ଚଳିତ ମାସ ୧୫ ତାରିଖରେ ସୁରତରୁ ଫେରିବା ପରେ ତାଙ୍କୁ କଥିତ କେନ୍ଦ୍ରରେ ରଖାଯାଇଥିଲା । ସେଠାରେ ବିଭିନ୍ନ ସ୍ଥାନରୁ ଆସିଥିବା ୪୮ ଜଣ ରହିଥିଲେ। ୨୦ ତାରିଖ ସକାଳେ ଭଜକୃଷ୍ଣ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ହସ୍ପିଟାଲ ଅଣାଯିବା ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ସଙ୍ଗରୋଧ କେନ୍ଦ୍ରରେ ଭଜକୃଷ୍ଣ ବିଗତ ୫ ଦିନ ଧରି ରହି ଆସିଥିଲେ । ହେଲେ ଇତିମଧ୍ୟରେ ତାଙ୍କର ରକ୍ତ କିମ୍ବା ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇ ନଥିଲା । ଭଜକୃଷ୍ଣଙ୍କ ମୃତୁ୍ୟ ପରେ ଏ ନେଇ ଲୋକଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି।
ଜିଲ୍ଲାର ଅଧିକାଂଶ ପଜିଟିଭ ରୋଗୀଙ୍କ ଠାରେ କୌଣସି ଲକ୍ଷଣ ନଥାଇ ରକ୍ତ ପରୀକ୍ଷାରେ ସଂକ୍ରମଣ ଚିହ୍ନଟ ହୋଇଛି। ଏପରିସ୍ଥଳେ ଭଜକୃଷ୍ଣଙ୍କ ମୃତୁ୍ୟ ଘଟଣାରେ ଜିଲ୍ଲା କୋଭିଡ-୧୯, ପରିଚାଳନା ଅଧିକାରୀ ଧନରାଜ ଏଚ୍‌ ଡି କହିଛନ୍ତି ଯେ, ଭଜକୃଷ୍ଣଙ୍କ ହୃଦ୍‌ଘାତ ଜନିତ ମୃତୁ୍ୟ ହୋଇଛି । ତାଙ୍କର ସେପରି କରୋନା ସଂକ୍ରମଣର ଲକ୍ଷଣ ନଥିଲା ମୃତ ଦେହ ସନ୍ଧ୍ୟାରେ ପରିବାର ଲୋକଙ୍କ ହସ୍ତାନ୍ତର ପାଇଁ ଓଡ଼ଗାଁ ଥାନା ଜୟପୁରକୁ ପଠା ଯାଇଥିଲା । ଶବ ବ୍ୟବଚ୍ଛେଦ କରାଯାଇ ନ ଥିବାରୁ ପରିବାର ଲୋକେ ମୃତ ଶରୀର ଗ୍ରହଣ ନ କରି ଫେରାଇ ଦେଇଥିଲେ । ଭଜକୃଷ୍ଣଙ୍କର ଦୃଦ୍‌ଘାତ ଜନିତ ମୃତୁ୍ୟ ହୋଇଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିବା ପରେ ଶବ ବ୍ୟବଚ୍ଛେଦର କୌଣସି ଆବଶ୍ୟକତା ନଥିବା ଜିଲ୍ଲାପାଳ ପୋମା ଟୁଡ଼ୁ ପ୍ରକାଶ କରିଛନ୍ତି । ମାତ୍ର ମୃତ ଶରୀର ହସ୍ତାନ୍ତର ବ୍ୟବସ୍ଥା ହୋଇଥିଲେ ମଧ୍ୟ ପରିବାର ଲୋକ ଗ୍ରହଣ କରି ନାହାନ୍ତିଁ । ତେଣୁ କୋଭିଡ-୧୯ ନିୟମ ଅନୁଯାୟୀ ମୃତ ଶରୀର ବିନିଷ୍ଠ ଦାୟୀତ୍ୱ ପ୍ରଶାସନ ଗ୍ରହଣ କରିବା କଥା ବୋଲି ଜିଲ୍ଲାପାଳ ଟୁଡ଼ୁ ସୂଚନା ଦେଇଛନ୍ତି ।

Comments are closed.