ନୟାଗଡ଼ରେ କରୋନା ଚିତ୍ର; ବଢ଼ିଲା ଚିନ୍ତା, ମୋଟ ୭୮ ପଜିଟିଭ୍‌, ସ୍ୱାସ୍ଥ୍ୟ ସେବୀକା ଆକ୍ରାନ୍ତ

ନୟାଗଡ଼, (ସବ୍ୟୁ): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ଭୂତାଣୁ ପାଦୃଭାବ ଦିନକୁ ଦିନ ବଢ଼ି ଚାଲିଛି । ଏବେ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢି ୭୮ ରେ ପହଂଚିଛି I ସେଥିରେ ବିଦେଶ ଓ ବାହାର ରାଜ୍ୟରୁ ଫେରି ସଂଗରୋଧ କେନ୍ଦ୍ରରେ ରହିଥିବା ପଜିଟିଭିଙ୍କ ସଂଖ୍ୟା ୭୬ ରହିଛି । ଜଣେ ନର୍ସଙ୍କ ସମେତ ଦୁଇଜଣ ଜନବସତି ଅଞ୍ଚଳରୁ ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।
ନୟାଗଡ଼ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଛି । ମେ’ ମାସ ୯ତାରିଖରେ ଜିଲ୍ଲାର ପ୍ରଥମ ପଜିଟିଭ୍ ଚିହ୍ନଟ ପରଠାରୁ କରୋନା ମହାମାରୀ ଭୂତାଣୁ ତା’ର କାୟାବିସ୍ତାର କରି ଚାଲିଛି । ଦିନକୁ ଦିନ ଏହି ରୋଗ ସଂକ୍ରମଣ ବୃଦ୍ଧି ପାଇ ଜୁନ୍ ୪ ତାରିଖ ରେ ପଜିଟିଭ୍ ସଂଖ୍ୟା ୭୮ ହୋଇଛି । ସେମାନଙ୍କ ମଧ୍ୟରୁ ୪୫ ଜଣ ଆରୋଗ୍ୟ ହୋଇଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲ୍ଲାରେ କରୋନା ଭୂତାଣୁ ସଂଗରୋଧ କେନ୍ଦ୍ର ସିମା ଅତିକ୍ରାନ୍ତ କରି ବିଗତ ୩ଦିନ ଜନବସତି ମଧ୍ୟରେ ଦୁଇ ଜଣଙ୍କୁ ଆକ୍ରାନ୍ତ କରିଛି । । ଜଣେ ଖେଡ଼ପଡ଼ା ଗାଁର ହୋଇ ଥିବାବେଳେ ଅନ୍ୟ ଜଣେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ନର୍ସ ହୋଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସମୟରେ ନର୍ସ ଜଣକ ନିଜେ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ଟୁଡ଼ୁ ସୂଚନା ଦେଇଛନ୍ତି ।
ଏପରିସ୍ଥିତିରେ ନର୍ସ ଜଣକ ଜିଲ୍ଲା ହସ୍ପିଟାଲରେ ସଂସ୍ପର୍ଷରେ ଆସିଥିବା ରୋଗୀମାନଙ୍କ ଉପରେ ନଜର ରଖାଯାଇଛି । ସଂପୃକ୍ତ ନର୍ସଙ୍କ ସଂସ୍ପର୍ଷରେ ଆସିଥିବା ସ୍ତ୍ରୀ ଓ ପ୍ରସୁତୀ ୱାର୍ଡର ଦୁଇ ଜଣ ପ୍ରସୂତୀ ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କୁ ଖଣ୍ଡପଡ଼ା କୋଭିଡ୍ କେୟାର କେନ୍ଦ୍ରକୁ ସ୍ତାନାନ୍ତର କରାଯାଇଥିବା ଜିଲ୍ଲାପାଳ ତା’ଙ୍କ ସୂଚନାରେ ପ୍ରକାଶ କରିଥିଲେ । ସେହିପିରି ମେଡ଼ିସିନ ୱାର୍ଡ ବିଶୋଧନ ପାଇଁ ସମସ୍ତ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ତାନାନ୍ତର କରାଯାଇଛି । ଏହା ଦ୍ୱାରା ସାଧାରଣ ରୋଗୀଙ୍କ ଚିକିତ୍ସାରେ କୌଣସି ବାଧା ନଥିବା ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ । ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ସୂଚନା ଦେଇବାକୁ ଯାଇ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବାକୁ ଜିଲ୍ଲାବାସୀଙ୍କୁ ବାରମ୍ବାର ନିବେଦନ କରିଥିଲେ । ସରକାରୀସ୍ତରରେ ଜାରୀ ଆଦେଶନାମା ଅନୁପାଳନ କରିବା ଓ ସାମାଜିକ ଦୂରତା ରକ୍ଷା କରି ନିଜକୁ କରୋନା ସଂକ୍ରମଣରୁ ଦୂରେଇ ରଖିବାକୁ ଜିଲ୍ଲାପାଳ ଟୁଡ଼ୁ କହିଥିଲେ । ଖେଡ଼ପଡ଼ା ଗାଁର ସଂକ୍ରମଣ ଉତ୍ସ ସଂପର୍କରେ ତଥ୍ୟ ସଂଗ୍ରହ କରା ଯାଉଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଉପସ୍ଥିତ ଥିଲେ ।
ନିଶିକାନ୍ତ ରଥ
ଜିଲ୍ଲା ପ୍ରତିନିଧି, ନୟାଗଡ଼

Comments are closed.