ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠିଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଗଷ୍ଟ ୨୫: ନିଟ୍‌ ଏବଂ ଜେଇଇ ପରୀକ୍ଷା ଘୁଞ୍ଚାଇ ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୱାଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଂପ୍ରତିକ କରୋନା ପରିସ୍ଥିତିରେ ଏହି ପରୀକ୍ଷା ଘୁଞ୍ଚାଇବା ସପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ମହାମାରୀ ସମୟରେ ଏଭଳି ପରୀକ୍ଷା ନିରାପଦ ନୁହେଁ ଓ ଛାତ୍ରଛାତ୍ରୀମାନେ ସଂପୃକ୍ତ ପରୀକ୍ଷା କେନ୍ଦ୍ରକୁ ଯିବା ମଧ୍ୟ ଠିକ ନୁହେଁ । ଏହାଛଡା କରୋନା ପଜିଟିଭ ସଂଖ୍ୟା ବଢୁଥିବାରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଲକ୍‌ଡାଉନ ଓ ସଟଡାଉନ ଭଳି କଟକଣା ଲାଗୁ କରିଛନ୍ତି । ଏହାଦ୍ୱାରା ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇପାରେ । ତେଣୁ ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ର କୁ ପହଂଚିବାରେ ଅସୁବିଧା ହେବ I
ଭୌଗଳିକ ଦୃଷ୍ଟିକୋଣରୁ ଆଦିବାସୀ ଅଂଚଳର ଛାତ୍ରଛାତ୍ରୀ ବର୍ତ୍ତମାନ ସ୍ଥିତିରେ ସହରାଂଚଳକୁ ଯିବା ସମ୍ଭବ ନୁହେଁ । ଏଥିପାଇଁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ହେଲେ ସେମାନଙ୍କୁ ଦୀର୍ଘ ବାଟ ଯିବାକୁ ପଡିବ । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସେପଟେମ୍ବରରେ ହେବାକୁ ଥିବା ନିଟ୍‌ ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖାଯିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.