ନାବାଳିକାକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

0

କେନ୍ଦୁଝର: ଜୁଲାଇ ୨୨: ନାବାଳିକା କୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଅଂଚଳରେ । ଗୁରୁତର ଅବସ୍ଥାରେ ଅଭିଯୁକ୍ତ କୈଳାସ ସିତାରୀକୁ ଚମ୍ପୁଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାର ଚିକିତ୍ସା ଚାଲିଛି । ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଁଚି ପୁରା ଘଟଣାର ଛାନଭିନ୍ ଚଳାଇଛି ।
ସୂଚନା ଅନୁଯାୟୀ, ନାରଦପୁର ପଂଚାୟତ, ଜଗନ୍ନାଥପୁର ଅଂଚଳର ଶାନ୍ତିଲତା ଓରାମ ନାମକ ଜଣେ ବିଧବା ମହିଳାଙ୍କୁ ଆଣି ନିଜ ସ୍ତ୍ରୀ ଭାବେ ରଖିଆସୁଥିଲା ଅଭିଯୁକ୍ତ କୈଳାସ ସିତାରୀ । ବିଧବାଙ୍କ ଏକ ୧୫ବର୍ଷୀୟା ନାବାଳିକା ଝିଅ ସୁମିତ୍ରା ମଧ୍ୟ ସେମାନଙ୍କ ସହ ରହିଆସୁଥିଲା ।
ଗତ କାଲି ସନ୍ଧ୍ୟାରେ ସୁମିତ୍ରା, ମୋବାଇଲ ଫୋନରେ କୌଣସି ଯୁବକ ସହ ଗପିବା ସନ୍ଦେହ କରି ଗାଳି ଗୁଲଜ କରିବା ସହ ଏକ ବାଡ଼ିରେ ଅତି ଅମାନୁଷିକ ଭାବେ ସୁମିତ୍ରାକୁ ପିଟିଥିଲା କୈଳାସ । ଏହାକୁ ମା’ ଶାନ୍ତିଲତା ବିରୋଧ କରିଥିଲେବି କିଛି ଶୁଣିନଥିଲା ସେ । ଯାହାଫଳରେ ସେହିଠାରେହିଁ ସୁମିତ୍ରାର ମୃତ୍ୟୁ ଘଟିଥିଲା ।
ତେବେ ଏହି ହତ୍ୟାକାଣ୍ଡ ଭିଆଇବା ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ କୈଳାସ । ମାତ୍ର ଶାନ୍ତିଲତା ରଶିକୁ କାଟିଦେବାରୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲା । ଚମ୍ପୁଆ ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଧିକ ତଦନ୍ତ ଜାରି ରଖିବା ସହ ମୃତ ଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.