ଧୂମପାନରୁ ପିଲାଙ୍କୁ ଦୂରେଇବାର ଉପାୟ

ଭୁବନେଶ୍ୱର: ଅଗଷ୍ଟ ୧୭: ଧୂମପାନ ଏକ ଖରାପ ଅଭ୍ୟାସ । ଏହା ସବୁ ବୟସର ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ । ଏହା ପିଲାମାନଙ୍କ ପାଇଁ ତ ବିଶେଷ କ୍ଷତିକାରକ । କମ୍‌ ବୟସରୁ ଅନେକ ପିଲା ଏହାକୁ ଏକ ମସ୍ତି ଓ ମଜା ଭାବେ ଆରମ୍ଭ କରିଥାନ୍ତି । ପରେ ପରେ ଏହି କୁଅଭ୍ୟାସ ଧୂମପାନକୁ ସାଥୀ ଭାବେ ଗ୍ରହର କରି ଏହାର ଅଭ୍ୟସ୍ତ ହୋଇପଡ଼ନ୍ତି । ତେବେ ପିତାମାତାମାନେ ଭବିଷ୍ୟତରେ ନିଜର ପିଲାମାନଙ୍କୁ ଏହି କୁଅଭ୍ୟାସରୁ ଦୂରେଇ ରଖିବା ପାଇଁ ସ୍ନେହ ଦେବା ସହ, ସେମାନଙ୍କର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ।
ଆଲୋଚନା ଉପରେ ଗୁରୁତ୍ୱ ଦିଅନ୍ତୁ- ବନ୍ଧୁତ୍ୱପୂର୍ଣ୍ଣ ଭାବରେ ପିଲାମାନଙ୍କ ସହିତ ମିଶି ଧୂମପାନକୁ ନେଇ ଆଲୋଚନା କରନ୍ତୁ । ସେମାନଙ୍କୁ ଏହି କୁଅଭ୍ୟାସର ପ୍ରଭାବ ଓ ଏହାର କ୍ଷତି ବିଷୟରେ ସଚେତନ କରାନ୍ତୁ । କେତେକ ପିତାମାତା ଧୂମପାନକୁ ନେଇ ପିଲାମାନ ସାମ୍ନାରେ ଆଲୋଚନା କରିବାକୁ ପସନ୍ଦ କରନ୍ତି ନାହିଁ । ଫଳରେ ପିଲାମାନେ ଏହି କୁଅଭ୍ୟାସ ଉପରେ ଅଜ୍ଞ ରହିଯାଆନ୍ତି । କେବଳ ଆଲୋଚନା ମାଧ୍ୟମରେ ହିଁ ସେମାନଙ୍କ ମାନସିକ ପରିବର୍ତ୍ତନ କରାଯାଇପାରିବ ।
କୁଅଭ୍ୟାସକୁ ‘ନା’ କହିବା ଶିଖାନ୍ତୁ- ବେଳେ ବେଳେ ପିଲାମାନେ ସାଙ୍ଗସାଥୀଙ୍କ ସହିତ ପଡ଼ି ଧୂମପାନକୁ ଆପଣେଇ ଥାଆନ୍ତି । ଏହିପରି କ୍ଷେତ୍ରରେ ପିତାମାତା ନିଜ ପିଲାମାନଙ୍କୁ କୁଅଭ୍ୟାସ ପ୍ରତି ‘ନା’ କହିବା ପାଇଁ ଉତ୍ସାହିତ କରନ୍ତୁ ।
ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦିଅନ୍ତୁ- ଆଜିକାଲିର ପିଲା ଇ-ସିଗରେଟ୍‌, କ୍ୟାଣ୍ଡି ସିଗାରେଟ୍‌ ଓ ହୁକ୍‌କାକୁ ନିରାପଦ ବୋଲି ଭାବିଥାନ୍ତି । କିନ୍ତୁ ଏହା ଭୁଲ୍‌ ଧାରଣା । ଏହିପରି ଆଧୁନିକ ତଥା ପାଶ୍ଚାତ ଶୈଳୀରେ ଧୂମପାନ କଲେ ଶରୀର ଉପରେ ଏହାର ବହୁ ପ୍ରଭାବ ପଡ଼ିଥାଏ । ଏହି ବିଷୟରେ ପିଲାମାନଙ୍କ ସହ ଆଲୋଚନା କରନ୍ତୁ । ଏହିଭଳି ଧୂମପାନ ଯୋଗୁଁ ହେଉଥିବା ମାରାତ୍ମକ ରୋଗ ବିଷୟରେ ସେମାନଙ୍କୁ ବୁଝାନ୍ତୁ ।
ଗଣନା ଶିଖାନ୍ତୁ- ପିଲାମାନଙ୍କୁ ଗଣିତ କରାନ୍ତୁ । ପରେ ଏକ ମାସ ବା ଏକ ବର୍ଷ ପରେ ସେମାନେ କେତେ ଟଙ୍କା ଧୂମପାନରେ ଖର୍ଚ୍ଚ କରିଛନ୍ତି ଏବଂ ଆଉ କେତେ ସ୍ମାର୍ଟ ଫୋନ୍‌, ପୋଷାକ କିମ୍ବା ଅନ୍ୟ କେଉଁ କାମରେ ଖର୍ଚ୍ଚ କରୁଛନ୍ତି, ତାହାର ତୁଳନା କରାନ୍ତୁ ।
ବିଜ୍ଞାପନରେ ଦେଖାଉଥିବା ଧୂମପାନ ବିଷୟରେ ସଚେତନତା କରାନ୍ତୁ- ସାଧାରଣ ପିଲାମାନେ ବିଜ୍ଞାପନ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ଏଣୁ ପିତାମାତା ସେମାନଙ୍କ ସହିତ ବସି ସେହିପରି ବିଜ୍ଞାପନର ପ୍ରକୃତ ଉଦ୍ଦେଶ୍ୟ ବ୍ୟାଖ୍ୟା କରନ୍ତୁ । ଏହାସହିତ ପ୍ରତ୍ୟେକ ବିଜ୍ଞାପନ ତଳେ ଲେଖାଯାଉଥିବା ‘ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ’ କ୍ୟାପସନ୍‌ର ଗୁରୁତ୍ୱ ବିଷୟରେ ବୁଝାନ୍ତୁ ।
ଉଦାହରଣ ସୃଷ୍ଟି କରାନ୍ତୁ- ଯଦି ପିତାମାତା ଧୂମପାନ କରୁଛନ୍ତି, ତେବେ ଏହି କୁଅଭ୍ୟାସକୁ ଛାଡ଼ିବାକୁ ଚେଷ୍ଟା କରି ନିଜ ପିଲାଙ୍କ ସାମ୍ନାରେ ଏକ ଜୀବନ୍ତ ଉଦାହରଣ ସୃଷ୍ଟି କରନ୍ତୁ । ଯଦି ଘରର ବଡ଼ ଲୋକ ଧୂମପାନ କରୁଛନ୍ତି, ତେବେ ପିଲାମାନେ ଏହି କୁଅଭ୍ୟାସକୁ ଖୁବ୍‌ ଶୀଘ୍ର ଆପଣେଇଥାନ୍ତି । ଏଣୁ ସର୍ବଦା ପିଲାଙ୍କ ଆଗରେ ନିଜର ଉଦାହରଣ ଦିଅନ୍ତୁ ଓ ସେମାନଙ୍କୁ ଏକ ସୁସ୍ଥ ଭବିଷ୍ୟତ ଦିଅନ୍ତୁ ।

Comments are closed.